ସୁନ୍ଦରଗଡ଼: ବୁଧବାର ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତିଭବନରେ ରାଜ୍ୟ ସରକାରଙ୍କ ‘ମିସନଶକ୍ତି ସ୍କୁଟି' ଯୋଜନାରେ ମହିଳାଙ୍କୁ ସ୍କୁଟି ବଣ୍ଟନବେଳେ ମନ୍ତ୍ରୀ ସାରଦା ନାୟକ ଓ ସାଂସଦ ଜୁଏଲ ଓରାମଙ୍କ ରାଜନୀତି ଓ ପରସ୍ପରକୁ କଟାକ୍ଷ ଚର୍ଚ୍ଚାର ବିଷୟ ହୋଇଛି। ଅତିଥି ଭାବେ ଯୋଗଦେଇଥିବା ସାଂସଦ ଜୁଏଲ କାର୍ଯ୍ୟକ୍ରମ ଉଦ୍ଘାଟନ ବେଳେ ହଠାତ୍ ବଡ଼ ପାଟିରେ କହିଲେ, ‘ନବୀନ ସରକାର ବିନା ସୁଧରେ ସ୍କୁଟି ଦେଉଛି, ଆମ ବିଜେପି ସରକାର ଆସିଲେ ସ୍କୁଟି ପୂରା ଫ୍ରିରେ ଦେବୁ। ଏ କଥାକୁ ସେ ସଂସ୍କୃତିଭବନ ପରିସରରେ ବୁଲିବୁଲି ସ୍କୁଟି ଧରି ଧାଡ଼ିରେ ଠିଆ ହୋଇଥିବା ମହିଳାଙ୍କ ପାଖକୁ ଯାଇ ବାରମ୍ବାର ଶୁଣାଇଥିଲେ। ଜୁଏଲଙ୍କ କଥା ପରେ ନିଜକୁ ସମ୍ଭାଳି ପାରିନଥିଲେ ସାରଦା। ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ। ସେଠାରେ ଉପସ୍ଥିତ ମହିଳା ଓ ବିଜେଡି ନେତାମାନେ ସାରଦାଙ୍କ ସହ ସ୍ବର ମିଳାଇଥିଲେ। ଏହାପରେ ଜୁଏଲ ନରେନ୍ଦ୍ର ମୋଦୀଙ୍କ ନାଁରେ ନାରା ପକାଇଥିଲେ, କିନ୍ତୁ ସେ ଏକଲା ପଡ଼ି ଯାଇଥିଲେ। ପାଳି ଧରିବାକୁ କେହି ନଥିଲେ। ଜୁଏଲ ହସିଦେଇ ଚାଲି ଯାଇଥିଲେ।
ଜୁଏଲଙ୍କ ସ୍କୁଟି ଫ୍ରି କଥା ଗଣମାଧ୍ୟମ ପ୍ରତିନିଧିମାନେ ସାରଦାଙ୍କ ଦୃଷ୍ଟିକୁ ନେଇଥିଲେ। ସାରଦା ରୋଚକ ଢଙ୍ଗରେ ଉତ୍ତର ରଖିଥିଲେ। କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ୧୫ ଲକ୍ଷ ଟଙ୍କା, ଅଚ୍ଛେ ଦିନ କଥା। ସେସବୁ କେଉଁଠି? ମୋଦୀ ଯାହା କହନ୍ତି, ତାହା କରନ୍ତି ନାହିଁ। ଆଉ ଜୁଏଲ ଭାଇ ତ ଆମ ଭାଇ, ତାଙ୍କ କଥା କଣ କହିବି? ଉଭୟ ନେତାଙ୍କର ପରସ୍ପର ପ୍ରତି କଟାକ୍ଷ ଉପସ୍ଥିତ ଲୋକଙ୍କୁ ଆମୋଦିତ କରିଥିଲା। ଏସବୁ ଘଟଣାବେଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜଗାଙ୍ଗପୁର ବିଧାୟକ ରାଜେନ୍ ଏକ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନଙ୍କ ସମେତ ଦୁଇ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।