ଭୁବନେଶ୍ବର : କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଜାତୀୟ ମାନବାଧିକାର କମିସନ ଗୁରୁତ୍ବର ସହିତ ନେଇଛନ୍ତି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି କରିଛି ଜାତୀୟ ମାନବାଧିକାର କମିସନ। ନ୍ୟାୟ ପାଇଁ ଲଢ଼େଇ ପରିବାରର ମୁଖ୍ୟ ସୁବ୍ରତ କୁମାର ଦାଶଙ୍କ ପିଟିସନ୍ ଉପରେ ଶୁଣାଣି କରି କମିସନ ଏଭଳି ନିର୍ଦେଶ ଦେଇଥିବା ଜଣାପଡ଼ିଛି।
ନ୍ୟାୟ ପାଇଁ ଲଢ଼େଇ ପରିବାର ପକ୍ଷରୁ କମିସନ ନିକଟରେ ୧୦ଟି ସମ୍ବେଦନଶୀଳ ପ୍ରଶ୍ନର ପିଟିସନ୍ ଦିଆଯାଇଥିଲା। ସେଗୁଡ଼ିକ ହେଲା ହତ୍ୟାକାରୀ ତଥା ବିହିଷ୍କୃତ ଏଏସଆଇ ଗୋପାଳ ଦାସଙ୍କ ପରିବାର ଲୋକ କହୁଛନ୍ତି, ସେ ଜଣେ ମାନସିକ ରୋଗୀ। ଯଦି ସେ ଜଣେ ମାନସିକ ରୋଗୀ ପୁଲିସ ବିଭାଗ ତାଙ୍କୁ କେମିତି ଚାକିରି ଦେଲା? ରାଜ୍ୟ ସରକାର କେମିତି ତାଙ୍କୁ ୧୮ ଥର ପୁରସ୍କୃତ କରିଥିଲେ? ଜଣେ ମାନସିକ ରୋଗୀଙ୍କ ପାଖରେ ପୁଲିସ ବିଭାଗ କେମିତି ରିଭଲଭର ରଖିବାକୁ ଅନୁମତି ଦେଇଥିଲା? ହତ୍ୟାକାଣ୍ଡ ସ୍ଥଳରେ ଜଣେ ବିଜେଡି ଯୁବକ ହାତରେ ବନ୍ଧୁକ ଧରି ବୁଲୁଥିବା ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ସେହିପରି ନବ ଦାସଙ୍କ ହତ୍ୟା ପଛରେ କେତେକ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି କଥା ଉଠୁଛି ଏ ସବୁ ଦିଗରେ ରାଜ୍ୟ ସରକାର ତଦନ୍ତ କରିବା ଆବଶ୍ୟକ ଅଛି। ସୁବ୍ରତଙ୍କ ଅଭିଯୋଗ ପରେ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଛି।