ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ହତ୍ୟା ସୁରାକ୍‌, ଥାନା ପାଇଖାନା ଟାଙ୍କିରେ ଲୁଚିଛି ତଥ୍ୟ

ଭୁବନେଶ୍ବର / ଝାରସୁଗୁଡ଼ା : ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ସଂପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ହାତରେ ଲାଗିଥିବା ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ ଉଡ଼ାଇ ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲେ। ହେଲେ ଶତ ପ୍ରତିଶତ ସଫଳ ହୋଇପାରିନାହାନ୍ତି। ଏବେ ବିଳମ୍ବିତ ରାତିରେ ରିପୋର୍ଟ ଲେଖାହେବା ବେଳକୁ ଏଥିରୁ କିଛି ଦସ୍ତାବିଜ୍ କ୍ରାଇମବ୍ରାଞ୍ଚ ଉଦ୍ଧାର କରିସାରିଲାଣି। ଆଉ କିଛି ଉଦ୍ଧାର ପାଇଁ ଝାରସୁଗୁଡା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍ ଜାରି ରହିଛି। ଯାହା ସୂଚନା ମିଳୁଛି, ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଛି। ବୁଧବାର ଦିନ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତନାଘନା ଜେରା କରିବା ପରେ ଗୋପାଳ ନିଜେ ଏ ସଂପର୍କରେ ସୂଚନା ଦେଇଥିଲେ।

ବିଳମ୍ବିତ ରାତିରେ ଟାଙ୍କି ଭଙ୍ଗାଗଲା
କିଛି କାଗଜ ଜବତ, ନଷ୍ଟ ହୋଇନି
ପାଇଖାନାରେ ପୂରାଇ ଫ୍ଲସ୍ ମାରିଥିଲେ
ହତ୍ୟା ପରେ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ଅଟକ ଥିଲେ ଗୋପାଳ
ପ୍ରଥମ ଦିନ ରିମାଣ୍ଡରେ ସଫଳତା

ଖବର ଅନୁସାରେ, ରବିବାର ଦିନ ଦି’ପହରେ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏଏସ୍‌ଆଇ ଗୋପାଳ ଦାସ। ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଓ ପୁଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ ଦୀର୍ଘ ସମୟ ଧରି ଏଠାରେ ଥିଲେ। ସ୍ଥାନୀୟ ପୁଲିସ କିନ୍ତୁ ସେବେ ଜାଣିପାରିନଥିଲା ଯେ ଗୋପାଳଙ୍କ ହାତରେ ନବଙ୍କ ମୃତ୍ୟୁ ପଞ୍ଜିକା ଲୁଚି ରହିଛି। ସେ ସମୟରେ ହତ୍ୟା କାରଣ ବୋଲି କୁହାଯାଉଥିବା ସମସ୍ତ ପ୍ରମାଣ ପତ୍ର ଗୋପାଳ ନିଜ ପୋଷାକ ଭିତରେ ହିଁ ଲୁଚାଇ ରଖିଥିଲେ। ପୁଲିସ ସେସବୁ ଜବତ କରିବାରେ ବିଫଳ ହେବା ପରେ ଏହାର ସୁଯୋଗ ନେଇଥିଲେ ଗୋପାଳ। ସବୁ ପ୍ରମାଣକୁ ଉଡ଼ାଇ ଦେବା ଲାଗି ସେ ପୁଣି ଥାନା ଭିତରେ ନୂଆ ଷଡ଼୍‌ଯନ୍ତ୍ର ରଚନା କରିଥିଲେ। ବିମାନ ବନ୍ଦର ଥାନାରେ ସେ ପରିସ୍ରା ଯିବା ବାହାନା କରି ଵାସ୍ ରୁମ୍ ଯାଇଥିଲେ। ସେ ଲୁଚାଇ ରଖିଥିବା ସବୁ କାଗଜପତ୍ରକୁ ପାଇଖାନାରେ ପୂରାଇ ଫ୍ଲସ୍ ଚିପି ଦେଇଥିଲେ। ଫଳରେ ଏସବୁ ସିଧା ଯାଇ ଟାଙ୍କିରେ ପଶିଥିଲା। ସ୍ଥାନୀୟ ପୁଲିସ ଏ ସଂପର୍କରେ ବିନ୍ଦୁ ବିସର୍ଗ ବି ଜାଣିପାରିନଥିଲା। ଗୋପାଳଙ୍କୁ ଗତ ତିନି ଦିନ ମଧ୍ୟରେ ଯେତେଥର ଜେରା କରାଯାଇଛି ସେ ବି ଏ ସଂପର୍କରେ ମୁହଁ ଖୋଲିନଥିଲେ।

ବୁଧବାର ଦିନ ଗୋପାଳଙ୍କୁ ଚାରିଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇଥିଲା। ନିଜେ ଏଡିଜି ଅରୁଣ ବୋଥ୍ରା ତାଙ୍କ ଢଙ୍ଗରେ ଝାଳବୁହା ଜେରା ଆରମ୍ଭ କରିଥିଲେ। ହଠାତ୍ ରାତିରେ ଗୋପାଳ ସତ ପେଡ଼ି ଖୋଲିଥିଲେ। ସବୁ ପ୍ରମାଣ ସେ ନଷ୍ଟ କରିଦେଇଥିବା କହିବା ସହିତ ଟିକନିଖି ଘଟଣା ବର୍ଣ୍ଣନା କରିଥିଲେ। ତୁରନ୍ତ କ୍ରାଇମବ୍ରାଞ୍ଚ ଏସବୁ କାଗଜ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଝାରସୁଗୁଡା ବିମାନବନ୍ଦର ଥାନାକୁ ଚାରିପଟୁ ବନ୍ଦ କରି ରାତିଅଧିଆ ଅପରେସନ୍ ଚାଲିଛି। ପୂରା ପାଇଖାନା ଟାଙ୍କିକୁ ସୁଇପର ଲଗାଇ ଭଙ୍ଗାଯାଇଛି ଓ କାଗଜ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଇତିମଧ୍ୟରେ କିଛି କାଗଜ ଉଦ୍ଧାର ହୋଇଥିଲେ ହେଁ ଏସବୁ ଓଦା ହୋଇଯାଇଛି। ମାତ୍ର ସେଥିରୁ ସମ୍ପୂର୍ଣ୍ଣ ତଥ୍ୟ ଲିଭିନାହିଁ। ବଳକା କାଗଜ ଉଦ୍ଧାର ଚାଲିଛି।

ଗୋଟିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀଙ୍କୁ ହତ୍ୟା ସହିତ ଏହି ଦସ୍ତାବିଜର ପୂରା ସଂପର୍କ ରହିଛି। ତେବେ ଏଥିରେ କି କି ତଥ୍ୟ ରହିଛି, ସେ ନେଇ ଅଧିକାରୀମାନେ ମୁହଁ ଖୋଲିନାହାନ୍ତି। କିନ୍ତୁ କ୍ରାଇମବ୍ରାଞ୍ଚ ଏହାକୁ ବଡ଼ ପ୍ରମାଣ ବୋଲି ବିବେଚନା କରି ଏହି ଅପରେସନ୍ ଚଳାଇଛି।

ସମ୍ବନ୍ଧିତ ଖବର