ସମନ୍ବିତ କୃଷି ଓ ଅଧିକ ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ବ: ଖରିଫ୍‌ କାର୍ଯ୍ୟକ୍ରମ-୨୦୨୧ର ସମୀକ୍ଷା କଲେ କୃଷିମନ୍ତ୍ରୀ

ଭୁବନେଶ୍ବର : ଖରିଫ ଚାଷ ରାଜ୍ୟ କୃଷି ନିମନ୍ତେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗତ ଖରିଫରେ କୋଭିଡ୍‌ର ଅସ୍ବାଭାବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ରେକର୍ଡ ପରିମାଣର ଉତ୍ପାଦନ ହୋଇପାରିଥିଲା। ଚଳିତ ଖରିଫରେ କୋଭିଡ୍‌ର ଦ୍ବିତୀୟ ଲହରକୁ ଉଚିତ ମୁକାବିଲା ଓ ସମସ୍ତ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରି ରାଜ୍ୟର କୃଷକମାନେ ଆଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଆଶା ରହିଛି। କୃଷକମାନଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ବିତ କୃଷି ଓ ଅଧିକ ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଆଜି ଭର୍ଚୁଆଲ୍‌ ମାଧ୍ୟମରେ ଖରିଫ କାର୍ଯ୍ୟକ୍ରମ-୨୦୨୧ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସାହୁ କହିଲେ ଯେ ଏଥର ମୋଟ ୧୧୭.୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆଶା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନକଙ୍କ ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ପାଇଁ ଆହ୍ବାନ ଦେଇଥିଲା ବେଳେ ଫସଲ ବିବିଧୀକରଣ ଓ ସମନ୍ବିତ କୃଷି କାର୍ଯ୍ୟ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିହେବ। ଚଳିତ ଖରିଫରେ ପ୍ରାୟ ୧ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ଅଣଧାନ ଓ ଅର୍ଥକାରୀ ଫସଲ ଚା‌ଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଭାଗ ପକ୍ଷରୁ ୫.୩୬ ଲକ୍ଷ କ୍ବିଣ୍ଟାଲ ବିହନ ଓ ୯.୧୫ ଲକ୍ଷ ମେଟ୍ରିକ୍ ଟନ୍ ସାର ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ କ୍ବିଣ୍ଟାଲ ବିହନ ଓ ୫୦ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇ ସାରିଲାଣି। କୃଷି କାର୍ଯ୍ୟ ପାଇଁ ଚ‌ାଷୀମାନଙ୍କୁ ମୋଟ ୧୭,୬୫୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ତାହା ମଧ୍ୟରୁ ସମବାୟ ସଂସ୍ଥା ମାଧ୍ୟମରେ ୯ ହଜାର କୋଟି ଟଙ୍କାର ସ୍ବଳ୍ପ ମିଆଦି ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ବୈଠକରେ କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ‘୫-ଟି’କୁ କୃଷି ବିଭାଗର କାର୍ଯ୍ୟକ୍ରମରେ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। କୃଷି ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଖରିଫରେ ଚାଷୀମାନଙ୍କୁ କୃଷି ସାମଗ୍ରୀ ଯୋଗାଣର ସମୀକ୍ଷା କରିବା ପାଇଁ ପ୍ରତି ସପ୍ତାହରେ ରାଜ୍ୟସ୍ତରୀୟ ବୈଠକ କରାଯାଉଛି। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ସମବାୟ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଓୟୁଏଟିର କୁଳପତି ପବନ କୁମାର ଅଗ୍ରୱାଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ଓ ଜଳ ବିଭାଜନ ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର