ପୁରୀ : ଶ୍ରୀଶଙ୍କରାନନ୍ଦ ମଠ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ ମଠର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଛି। ମାତ୍ର ରାଜ୍ୟ ସରକାର ମଠର ପୁନରୁଦ୍ଧାର ପାଇଁ ଯେତିକି ଅର୍ଥ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏହି ପରିପ୍ରେକ୍ଷୀରେ ଆଜି ଶଙ୍କରାଚାର୍ଯ୍ୟ ମଠ ସହ ଶ୍ରୀଶଙ୍କରାନନ୍ଦ ମଠକୁ ପରିଦର୍ଶନ କରିଛନ୍ତି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର। ଏହି ପ୍ରାଚୀନ ସ୍ମାରକୀକୁ ପୁନରୁଦ୍ଧାର କରିବା ଏବଂ ସଂରକ୍ଷଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ‘ଶ୍ରୀଶଙ୍କରାନନ୍ଦ ମଠ’ ଶ୍ରୀମନ୍ଦିରର ସମସାମୟିକ। ଶିକ୍ଷାର ବିକାଶ ପାଇଁ ମଠରେ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିଲା। ମଠର ସ୍ବାମୀମାନଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ମଠର ସ୍ବାମୀମାନେ ଅତୀତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ସହ ଶ୍ରୀଲୋକନାଥ ମନ୍ଦିର, ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର, କପିଳାସର ଶ୍ରୀଚନ୍ଦ୍ରଶେଖର ମନ୍ଦିରର ପରିଚାଳନା ଦାୟିତ୍ବ ନିର୍ବାହ କରୁଥିଲେ। ମାତ୍ର ଧନଧାନ୍ୟରେ ସମୃଦ୍ଧ ଏହି ମଠର ଅସ୍ତିତ୍ବ ହଜିଯିବାକୁ ବସିଛି। ଯଦିଓ ଏହି ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦୁଇଟି କିସ୍ତିରେ ଅନୁଦାନ ପ୍ରଦାନ କରାଯାଇଛି, ମାତ୍ର ତାହା ୯ଲକ୍ଷ ଟଙ୍କାରେ ସୀମିତ। ଏହି ଅର୍ଥରେ କେବଳ ଏହାର ପରିସରକୁ ସଫା କରିବା ଓ ଟୁକୁରା କାର୍ଯ୍ୟରେ ସମସ୍ତ ଅନୁଦାନ ଶେଷ ହୋଇଯାଇଛି।
ରବିବାର ଦିନ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ବିନୀ କୁମାର ଶତପଥୀ, ଶ୍ରୀଶଙ୍କରାନନ୍ଦ ମଠର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ମଠ ପରିଦର୍ଶନ ସମୟରେ ଅନ୍ତରୀଣ ପରିଚାଳନା ଟ୍ରଷ୍ଟି ଡ. ଦୁର୍ଗl ପ୍ରସାଦ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର କୁମାର ମିଶ୍ର, ମଠର ମାହାତ୍ମ୍ୟ ଓ ଐତିହାସିକ ପୃଷ୍ଠଭୂମି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ମଠର ବୈଭବ ଦୃଷ୍ଟିରୁ ସଂରକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।