ଭୁବନେଶ୍ୱର : ଉଚ୍ଚ ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦ ପୂରଣ କରାଯିବ। ୪ ହଜାର ୨୫୫ ପଦ ନିମନ୍ତେ ଅର୍ଥ ବିଭାଗର ମଞ୍ଜୁରି ନିଆଯିବା ସହ ଏସ୍ଏସ୍ବି ଓ ଓପିଏସ୍ସିଙ୍କୁ ସୁପାରିସ କରାଯାଇଛି। ସେଥିମଧ୍ୟରୁ ୨ ହଜାର ୮୧ଟି ପଦବି ପୂରଣ ହୋଇଥିବା ବେଳେ ଅନ୍ୟଗୁଡ଼ିକ ପାଇଁ ପ୍ରକ୍ରିୟା ଚାଲୁ ରହିଛି। ୨୦୧୯-୨୦ ବର୍ଷରୁ ୨୦୨୧-୨୨ ମଧ୍ୟରେ ୧୭୮୧ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ସରିଛି ଏବଂ ୪୭୬ଟିର ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ୩୮୫ ଜଣ ବିଏଡ୍ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଓପିଏସ୍ସି ମାଧ୍ୟମରେ ଚାଲିଛି। ୫୧ଟି ସରକାରୀ କଲେଜରେ ଖାଲିଥିବା ୬୦୬ ପଦରୁ ଓପିଏସ୍ସି ମାଧ୍ୟମରେ ୧୫୦ଟି ପୂରଣ ହୋଇଛି। ବିଶ୍ୱବିଦ୍ୟାଳୟସ୍ତରରେ ଖାଲି ରହିଥିବା ୧୦୦୭ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବିର ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ସେଥିରୁ ଓପିଏସ୍ସି ମାଧ୍ୟମରେ ୧୫୦ଟି ପୂରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ନୀତି ଆଧାରରେ ଉଚ୍ଚଶିକ୍ଷା ବିଭାଗ ଓ ନିର୍ଦ୍ଦେଶାଳୟର ଏକତ୍ରୀକରଣ ହୋଇଛି। ଏହାଦ୍ବାରା ଫାଇଲ୍ ପ୍ରକ୍ରିୟା ଓ ନିଷ୍ପତ୍ତି ତ୍ୱରିତ ହୋଇପାରୁଛି ବୋଲି ରାଜ୍ୟର ୭୦୦ କଲେଜ ଅଧ୍ୟକ୍ଷଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
କୃଷି ଭବନଠାରେ ଓସ୍ୱାନ୍ ମାଧ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାହୁ କହିଲେ, ‘ନୀତିଶିକ୍ଷା ଓ ମୂଲ୍ୟବୋଧ’ ଓ ‘ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’ ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ଡିଗ୍ରି କଲେଜରେ ପ୍ରୋକ୍ଟୋରିଆଲ୍ ଓ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି। ‘ମୋ କଲେଜ’ ପରି ଅଭିନବ ଯୋଜନା ସହ କର୍ମଚାରୀଙ୍କ ପାଇଁ ଅନେକ ସଂସ୍କାର ଅଣାଯାଇଛି। ମାଟରନିଟି ଲିଭ୍ ହେଉ କି କୌଣସି ସମ୍ବନ୍ଧୀୟ ସରକାରୀ ଅନୁମତି, ସବୁଥିରେ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଆନ୍ତଃବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି ପ୍ରତିଯୋଗିତା କରାଯାଉଛି। ନାମଲେଖାରେ ସ୍ୱଚ୍ଛତା ଆଣିବା ପାଇଁ ଇ-ନାମଲେଖା ଲାଗୁ ହୋଇଛି। ଯୋଜନାଗୁଡ଼ିକ କିଭଳି କଲେଜସ୍ତରରେ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ଅଧ୍ୟକ୍ଷମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ ଅଧ୍ୟକ୍ଷମାନଙ୍କ ସହିତ କଲେଜର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଏହାର ସମାଧାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ, ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗଦେଇ ମତବିନିମୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/keshab.jpg)