ନାରାୟଣୀଙ୍କୁ ଭେଟିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

ସମ୍ବଲପୁର : ଜଣେ ଡାକ୍ତରାଣୀ ତଥା ସମାଜସେବୀ ଭାବେ ସମ୍ବଲପୁରରେ ବେଶ୍‌ ଜଣାଶୁଣା ନାରାୟଣୀ ପଣ୍ଡା। ୮୪ ବର୍ଷ ବୟସ୍କା ନାରାୟଣୀଙ୍କ ବଦାନ୍ୟତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ‘ମୋ କଲେଜ ଅଭିଯାନ’ରେ ସାମିଲ ହୋଇ ଗଂଗାଧର ମେହେର ବିଶ୍ବବିଦ୍ୟାଳୟକୁ ସେ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ, ସ୍କୁଲ ପିଲାଙ୍କ ପ୍ରତିଭା ବିକାଶ ପାଇଁ ପ୍ରତିଯୋଗିତା ଆୟୋଜନ ଓ ପୁରସ୍କାର ପ୍ରଦାନ ନିମନ୍ତେ ସମ୍ବଲପୁର ପବ୍ଲିକ ଲାଇବ୍ରେରିକୁ ୨ ଲକ୍ଷ ଟଙ୍କା ଏବଂ ରୋଟାରି ଇଣ୍ଟରନାସ୍‌ନାଲକୁ ୬ ଲକ୍ଷ ଟଙ୍କା ଦେଇଛନ୍ତି। ନିକଟରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ତାଙ୍କ ସମ୍ବଲପୁର ଗସ୍ତ ସମୟରେ ଡା. ପଣ୍ଡାଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ଏହା ସହିତ ‘ମୋ କଲେଜ ଅଭିଯାନ’ ପ୍ରତି ଥିବା ତାଙ୍କ ଶ୍ରଦ୍ଧା ଓ ଆନ୍ତରିକତା ବିଷୟରେ ପଚାରି ବୁଝିଥିଲେ।

ଆଲୋଚନାକୁ ମନ୍ତ୍ରୀ ଡ. ସାହୁ ପ୍ରଶ୍ନ ଓ ଉତ୍ତର ଆକାରରେ ଟ୍ବିଟ୍ କରିଛନ୍ତି। ଆଲୋଚନା କାଳରେ ଡା. ପଣ୍ଡା କହିଥିଲେ, ସେ ୧୯୫୩ ରୁ ୧୯୫୫ ମସିହା ପର୍ଯ୍ୟନ୍ତ ଦୁଇ ବର୍ଷ ଜିଏମ୍‌ କଲେଜରେ ଆଇଏସ୍‌ସି ପଢ଼ିଥିଲେ। ୧୯୫୭ ମସିହାରେ ଏସ୍‌ସିବି କଲେଜରେ ମେଡିକାଲ ପଢ଼ିବା ବେଳେ ଜିଏମ୍‌ କଲେଜ ଟ୍ର‌ଷ୍ଟ ତରଫରୁ ପ୍ରତି ମାସରେ ୨୫ ଟଙ୍କା ଆକାରରେ ଛାତ୍ରବୃତ୍ତି ପାଇଥିଲେ। ଯେଉଁ କଲେଜ ପାଇଁ ସେ ଆଜି ଡାକ୍ତରାଣୀ ହୋଇପାରିଛନ୍ତି, ତାର ଋଣ ଶୁଝିବା ପାଇଁ ‘ମୋ କଲେଜ ଅଭିଯାନ’ ହିଁ ପ୍ରକୃତ ମାଧ୍ୟମ ବୋଲି ତାଙ୍କର ହୃଦବୋଧ ହୋଇଥିଲା। ତାଙ୍କ ଭଳି ସମସ୍ତ ପୁରାତନ ଛାତ୍ରଛାତ୍ରୀ ସହଯୋଗର ହାତ ବଢ଼ାଇ ନିଜ ନିଜ କଲେଜର ବିକାଶ ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର