ଅଳ୍ପକେ ବର୍ତ୍ତିଲେ ଗଣଶିକ୍ଷା ମନ୍ତ୍ରୀ

ଗୋପ : ଆଜି ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ। ଧନୁଆ ନଦୀରେ ଆସିଥିବା ବନ୍ୟା ଯୋଗୁ ଗୋପ ବ୍ଲକ୍‌ର ୭ଟି ପଞ୍ଚାୟତର ୩୦ ହଜାର ଲୋକ ବନ୍ୟା ଘେରରେ ଫସି ରହିଥିବା ବେଳେ ସେମାନଙ୍କ ନିକଟରେ ପହଞ୍ଚିବାକୁ ମନ୍ତ୍ରୀ ଚେଷ୍ଟା କରୁଛନ୍ତି।

ସେ ଏଥି ପାଇଁ ଆଜି ଧନୁଆ ନଦୀରେ ଏନ୍‌ଡିଆର୍‌ଏଫ୍ ଟିମ୍ ସହିତ ଏକ ବୋଟ୍‌ରେ ଯାତ୍ରା କରିଥିଲେ। ତେବେ ଧନୁଆ ନଦୀ ସେତୁ ତଳେ ବୋଟ୍‌ଟି ଅତିକ୍ରମ କରୁଥିବା ସମୟରେ ପାଣି ଓ ସେତୁର ଉଚ୍ଚତାରେ କମ୍ ବ୍ୟବଧାନ ଥିବାରୁ ସେଠାରେ ବୋଟ୍‌ଟି ଲାଗିଯିବାର ସମ୍ଭାବନା ଥିଲା ଓ ଏହା ଏକ ରବର ବୋଟ୍ ହୋଇଥିବାରୁ କୋଣସି ସ୍ଥାନରେ ବାଜିଥିଲେ ଏହା ସେଠାରେ ବୁଡିଯିବାର ସମ୍ଭାବନା ମଧ୍ୟ ଥିଲା।

ମନ୍ତ୍ରୀ ଓ ତାଙ୍କ ସାଥୀରେ ଥିବା ସମସ୍ତ କର୍ମଚାରୀ ବୋଟ୍ ଭିତରେ ତୁରନ୍ତ ଶୋଇ ରହିବାରୁ ଅଳ୍ପକେ ବୋଟ୍‌ଟି ବର୍ତ୍ତିଯିବା ସହ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ରକ୍ଷା ପାଇଯାଇଥିଲେ। ଗତ ତିନି ଦିନ ହେବ ମନ୍ତ୍ରୀ ପ୍ରତି ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଛନ୍ତି। କିପରି ବନ୍ୟାବିପନ୍ନକୁ ଉଦ୍ଧାର ଓ ରିଲିଫ୍‌ ପ୍ରଦାନ କରାଯିବ ସେ ନେଇ ବିଡିଓ ତଥା ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର