ଭୁବନେଶ୍ବର: ‘ସୋମବାର ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ଦେବା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହର ନିୟମ ଭାଙ୍ଗିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳ ନେତା ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ।’ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗୃହରେ ଏଭ​ଳି ଦାବି କରିଛନ୍ତି। ଶ୍ରୀ ମହାଲିଙ୍ଗ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିବାବେଳେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରୁଥିଲେ। ତେଣୁ ସେ ଗୃହ ପରିଚାଳନା ସମ୍ବନ୍ଧୀୟ ନିୟମ ପୁସ୍ତିକା ପଢ଼ି କହିଥିଲେ ଯେ ସଂସଦର ପରିଚାଳନା ଓ ପଦ୍ଧତି ଅନୁଯାୟୀ ସଂସଦ‌ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କି ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବାବେଳେ କୌଣସି ସଦସ୍ୟ ବିଶୃଙ୍ଖଳା ପ୍ରଦର୍ଶନ କରିପାରିବେନି। ମାତ୍ର ବିରୋଧୀ ଦଳ ନେତା ନିଜ ଆସନରେ ଛିଡ଼ା ହୋଇ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଥିଲେ। ଏପରିକି ତାଙ୍କ ମାଇକ୍ କଟାଯାଇଥିବାରୁ ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେଣୁ ବିରୋଧୀ ଦଳ ନେତା କାହିଁକି ଗୃହରେ ବିଶୃଙ୍ଖଳା କଲେ ତା’ର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଉ। କମିଟିର ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।

Advertisment

ବିଜେପି ନେତା ଭଲ ଭାବେ ନିୟମ ପଢ଼ନ୍ତୁ: ଅରୁଣ
ବିଜେଡି ବିଧାୟକ ଆଉ କାହାଦ୍ବାରା ପରିଚାଳିତ ହେଉଥିଲେ ନିୟମ ବିଷୟରେ କିପରି ଜାଣିବେ: ସୂର୍ଯ୍ୟବଂଶୀ ସୂରଜ

ଶ୍ରୀ ମହାଲିଙ୍ଗ କହିଥିଲେ, ୨୪ବର୍ଷର ବିଜେଡି ସରକାର ଓଡ଼ିଶାକୁ ଲୁଟିଥିବାରୁ, ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଫଳ ହୋଇଥିବାରୁ ଏବେ ବିରୋଧ କରିବାର ନୈତିକତା ହରାଇଛନ୍ତି। ସେପଟେ ବିଜେଡି ବିଧାୟକ ଅରୁଣ ସାହୁ ଗୃହ ବାହାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ନୂଆ କରି ସରକାରୀ ଦଳକୁ ଆସିଛି, ସେମାନେ ଠିକ୍‌ ଭାବେ ରୁଲ୍‌ସ ଆଣ୍ଡ ପ୍ରୋସିଡ୍ୟୁଅର ବିଷୟରେ ଜାଣି ନାହାନ୍ତି। ଭଲ ଭାବେ ନିୟମ ପଢ଼ନ୍ତୁ। ବିଧାନସଭାକୁ ସୁରୁଖୁରୁରେ ଚଳାଇବା ହେଉଛି ସରକାରୀ ଦଳର କାମ। ଏଥିପାଇଁ ପ୍ରଥମେ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରିବା କଥା। ଏହା ଗତକାଲି ଠାରୁ ହୋଇପାରିନାହିଁ। ସେମାନେ ସରକାର ଚଳାଇବାରେ ଅକ୍ଷମ। ବିରୋଧୀ ଦଳ ନେତାଙ୍କ ଗିରଫ ଦାବି ଉପରେ ଶ୍ରୀ ସାହୁ କହିଥିଲେ, ବିଧାନସଭା କି ସଂସଦରେ ପ୍ରୋସିଡିଂ ଭିତରେ ଗିରଫଦାରୀ ସେ କେବେ ଦେଖିନାହାନ୍ତି। ଅନ୍ୟପକ୍ଷରେ ବିଜେଡିର ପ୍ରତିକ୍ରିୟା ଉପରେ ଜବାବ ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ରୁଲ୍‌ସ ଆଣ୍ଡ ପ୍ରୋସିଡ୍ୟୁଅର୍ ବହିରେ ଉଲ୍ଲେଖ ଅଛି ଯେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା ଦଣ୍ଡନୀୟ ଅପରାଧ। ବିଜେଡି ବିଧାୟକମାନେ ଯଦି ଆଉ କାହା ଦ୍ବାରା ପରିଚାଳିତ ହେଉଥିବେ ତେବେ ସେମାନେ କେମିତି ବିଧାନସଭା ନିୟମାବଳୀ ବିଷୟରେ ଜାଣିବେ। ନିଜ ବୁଦ୍ଧି, ବିବେକ ଲଗାନ୍ତୁ।