ଉମରକୋଟ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିଦ୍ୟାଳୟ ପରିଦର୍ଶନ ସମୟର ଗୋଟିଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ତ୍ରୀ ଭାବେ ବିଦ୍ୟାଳୟ ଭିତ୍ତିଭୂମି ଓ ଶିକ୍ଷାଦାନ ସ୍ଥିତି ପରଖୁଥିବା ମନ୍ତ୍ରୀ ଆଜି ପତ୍ନୀ କାର୍ଯ୍ୟରତ ବିଦ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ଏହି ଗସ୍ତ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଦୌ ଜାଣିନଥିଲେ। ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଚକିତ କରିଥିଲା। ଉମରକୋଟ ସହର ଡଙ୍ଗରିଗୁଡ଼ା ୟୁଭି-୩ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ ଚଇତି ଗଣ୍ଡ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଏହି ବିଦ୍ୟାଳୟରେ ହଠାତ୍ ମନ୍ତ୍ରୀ ପହଞ୍ଚିବା ସହ ପିଲାଙ୍କ ସହ ଭାବ ବିନିମୟ କରିଥିଲେ।
ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ସଂପର୍କରେ ପଚାରିଥିଲେ। ତେବେ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଦୟନୀୟ ଅବସ୍ଥା ଦେଖି ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ। ପାଣି ଗଳୁଥିବା କୋଠରିରେ ବସି ପିଲା ପାଠ ପଢ଼ୁଥିବା ଦେଖିଥିଲେ। ଏହାପରେ ପୂରା ବିଦ୍ୟାଳୟ ପରିସର ବୁଲି ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ଆଜି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜୟପୁର ଯିବା ରାସ୍ତାରେ ଏହି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ଛୋଟରାୟ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।