ମରୁଡ଼ି ଘୋଷଣା ଦାବିକୁ ରାଜସ୍ବ ମନ୍ତ୍ରୀଙ୍କ ଅଗ୍ରାହ୍ୟ, ଅକ୍ଟୋବର ୩୦କୁ ଅପେକ୍ଷା କର

ଫସଲ ରକ୍ଷା ପାଇଁ ଉଦ୍ୟମ ଚାଲିଛି

ଭୁବନେଶ୍ବର : ରାଜ୍ୟରେ ତୁରନ୍ତ ମରୁଡ଼ି ଘୋଷଣା ପାଇଁ ବିରୋଧୀ ଦଳର ଦାବିକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଅଗ୍ରାହ୍ୟ କରିଦେଇଛନ୍ତି। ମରୁଡ଼ି ଘୋଷଣା ପାଇଁ ଅକ୍ଟୋବର ୩୦ ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟ ସରକାର ନିଜସ୍ବ ପଦ୍ଧତି ଅନୁସାରେ ରାଜ୍ୟରେ ମରୁଡ଼ି ଘୋଷଣା କରି ଚାଷୀଙ୍କୁ ସହାୟତା ଦେଉଥିଲେ। କିନ୍ତୁ ପରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ମରୁଡ଼ି ପରିଚାଳନା ନିୟମାବଳୀ ଜାରି କରି ୫ଟି ମାପଦଣ୍ଡ ସ୍ଥିର କଲେ। ଏହି ମାପଦଣ୍ଡକୁ ଭିତ୍ତି କରି ମରୁଡ଼ି ଘୋଷଣା କରିବା ପାଇଁ ୨୦୧୭ ମାର୍ଚ୍ଚରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ଏହି ନିୟମାବଳୀ ଅନୁଯାୟୀ ଆବଶ୍ୟକ ସ୍ଥଳେ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ମରୁଡ଼ି ଘୋଷଣା କରାଯାଏ।

ବିଧାନସଭାରେ ବିରୋଧୀ ଦଳର ଅଭିଯୋଗର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ୧ ଲକ୍ଷ ୧୯ ହଜାର ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ୨୦ଟି ଜିଲ୍ଲାର ୧୦୨ ବ୍ଲକ୍‌ରେ ବୃଷ୍ଟିପାତ ଅଭାବ ଯୋଗୁ ଧାନ ଫସଲର ରୁଆ ଓ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ବର୍ଷା ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଜଳସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ଅଛି। ଅଦ୍ୟାବଧି ୮୬,୪୪୮ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରାଯାଇଛି। ଏବେ ଜଳଭଣ୍ଡାରଗୁଡ଼ିକରେ କମ୍ ପରିମାଣରେ ଜଳ ଗଚ୍ଛିତ ଅଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ପ୍ରଭାବରେ ଭଲ ବୃଷ୍ଟିପାତ ହେବ ବୋଲି ଆଶା କରାଯାଉଛି। ଯଦି ଭଲ ବର୍ଷା ନ ହୁଏ, ତେବେ ଜଳଭଣ୍ଡାରରେ ଥିବା ଗଚ୍ଛିତ ଜଳର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମେ ପାନୀୟ ଜଳ ଓ ପରେ ଜଳସେଚନ କଥା ଚିନ୍ତା କରାଯିବ। ବର୍ତ୍ତମାନର ସ୍ବଳ୍ପ ବୃଷ୍ଟିଜନିତ ସମସ୍ୟା ଓ ସାମ୍ପ୍ରତିକ ଫସଲର ଅବସ୍ଥା ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। କୃଷି ଓ ଜଳସମ୍ପଦ ବିଭାଗ ଫସଲ ରକ୍ଷା କରିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛନ୍ତି। ୩୦ଟି ଜିଲ୍ଲା ପାଇଁ ନୋଡାଲ୍‌ ଅଫିସର ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ଜୁଲାଇ ଓ ଅଗଷ୍ଟ ମା‌ସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଆକଳନ କରିଛନ୍ତି। କୃଷି ଉତ୍ପାଦନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଏକ ଚାଷ ଓ ପାଣିପାଗ ପର୍ଯ୍ୟବେକ୍ଷଣ କମିଟି ଗଠନ କରାଯାଇ ପ୍ରତ୍ୟେକ ସପ୍ତାହରେ ଚାଷ ଓ ପାଣିପାଗର ଅବସ୍ଥିତି ଉପରେ ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ‌ଦେଇଛନ୍ତି। ଅନାବୃଷ୍ଟି ଓ ତତ୍‌ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିକଳ୍ପ ଚାଷ ନିମିତ୍ତ ଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦି ସମସ୍ତ ଚେଷ୍ଟା ସତ୍ତ୍ବେ ଫସଲ ରକ୍ଷା କରିବା ସମ୍ଭବ ନ ହୁଏ, ତେବେ ନିୟମ ଅନୁସାରେ କୃଷି ଅବସ୍ଥାକୁ ସମ୍ପୂର୍ଣ୍ଣ ସମବେଦନାର ସହିତ ବିଚାର କରି ମରୁଡ଼ି ସଂକ୍ରାନ୍ତୀୟ ସିଦ୍ଧାନ୍ତ ନେବା ପାଇଁ ସରକାର ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର