ଭୁବନେଶ୍ବର: ନିର୍ବାଚନ ଯଥାରୀତି ହେଲା। ହଜାର ହଜାର ଲୋକଙ୍କ ସମାବେଶ ସାରା ରାଜ୍ୟରେ ହେଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ମଧ୍ୟ ପ୍ରତ୍ୟାହାର କରି ନିଆଗଲା। ସାରା ଦେଶରୁ ଆଉ ରାଜ୍ୟରୁ ବି। କୌଣସି ସ୍ଥାନରେ ଆଉ କରୋନାର ଭୟ ନାହିଁ। ସମସ୍ତେ ସ୍ବାଭାବିକ ଜୀବନ ଜିଇଁବା ଆରମ୍ଭ କରିଛନ୍ତି। କିନ୍ତୁ ‘ଲୋକସେବା ଭବନ’ରେ କରୋନା ଡର ଯାଉନି। ମନ୍ତ୍ରୀ, ଅଧିକାରୀମାନେ ସବୁଆଡ଼େ ବେଧଡ଼କ ଭାବେ ବୁଲୁଥିଲା ବେଳେ କେବଳ ଲୋକସେବା ଭବନରେ ସେମାନଙ୍କୁ କରୋନା ଭୟ ଗ୍ରାସୁଛି। ସେଥି ପାଇଁ ରାଜ୍ୟ ଶାସନର ଏହି ସର୍ବୋଚ୍ଚ ସୌଧକୁ ସଙ୍ଗରୋଧରେ ରଖାଯାଇଛି। କିଛି ଜରୁରୀ କାମରେ ଯିବାକୁ ସାଧାରଣ ଲୋକଙ୍କ ଅନୁମତି ଦିଆଯାଉନି କି ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରିବାକୁ ଦିଆଯାଉନି। ଏକ ଲୋକାଭିମୁଖୀ ସରକାରରେ ଏପରି ବିଡ଼ମ୍ବନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ଲୋକସେବା ଭବନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି। ପାସ୍ ମିଳୁଥିବା ଅଭ୍ୟର୍ଥନା ପ୍ରକୋଷ୍ଠକୁ ବନ୍ଦ କରିଦିଆଯାଇଛି। ଖବର ସଂଗ୍ରହ ପାଇଁ ବାର୍ଷିକ ପାସ୍ ନେଇ ଲୋକସେବା ଭବନ ଯାଉଥିବା ସାମ୍ବାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି।
କରୋନା ସଂକ୍ରମଣରୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଜାରି କରିଥିଲେ। ଏଥିରେ କାହାରି କିଛି ଆପତ୍ତି ନ ଥିଲା। କିନ୍ତୁ କରୋନା ଆଳରେ କଟକଣା ବେଶ୍ ସୁହାଇଲା କ୍ଷମତାରେ ଥିବା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ। ସାଧାରଣ ଲୋକ ଓ ଗଣମାଧ୍ୟମ ଠାରୁ ଦୂରରେ ରହିବାର ଏପରି ସୁଯୋଗକୁ ସେମାନେ ଆଉ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ଏହି କଟକଣାର ଅବଧି ଅନାବଶ୍ୟକ ଭାବେ ଲମ୍ବି ଚାଲିଛି।
କରେନାର ପ୍ରଥମ ଲହର ପରେ ୨୦୨୦ ଡିସେମ୍ବରରୁ ୨୦୨୧ ମାର୍ଚ୍ଚ ଯାଏ ରାଜ୍ୟରେ ଜନଜୀବନ ସ୍ବାଭାବିକ ହୋଇଥିଲା। ସରକାର ସବୁ କଟକଣାକୁ ଆପାତତଃ କୋହଳ କରିଦେଇଥିଲେ। କିନ୍ତୁ ଲୋକସେବା ଭବନର ଫାଟକ କାହା ପାଇଁ ଖୋଲି ନ ଥିଲା। ଏହା ମଧ୍ୟରେ କରୋନାର ଦ୍ବିତୀୟ ଲହର ଗତ ବର୍ଷ ଏପ୍ରିଲ୍ରେ ଆରମ୍ଭ ହେଲା। ତେଣୁ ସେହି ସମୟରେ ଲୋକସେବା ଭବନ ଖୋଲିବାକୁ କୌଣସି ମହଲରେ ଦାବି ହୋଇ ନ ଥିଲା। କାରଣ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସୁରକ୍ଷା ପ୍ରତି ସମସ୍ତେ ସଚେତନ ଥିଲେ। ଦ୍ବିତୀୟ ଲହର ଶେଷ ଆଡ଼କୁ ରାଜଧାନୀରେ ଟିକାକରଣ ଜୋର୍ଦାର ଚାଲିଲା। ୨୦୨୧ ଜୁଲାଇ ୧ରୁ ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ କରାଗଲା। କିନ୍ତୁ ସାଧାରଣ ଲୋକ ଓ ଗଣମାଧ୍ୟମ ପାଇଁ ଲୋକସେବା ଭବନ ଖୋଲିଲାନି। ଦୁଇ ଡୋଜ୍ ଟିକା ନେଇଥିବା ସାଧାରଣ ଲୋକ ଲୋକସେବା ଭବନ ଯିବାରେ କେଉଁଠି ଅସୁବିଧା ରହିଲା ତାହା ବୁଝାପଡ଼ିଲାନି। ଗତ ଜାନୁଆରି ମାସରେ ତୃତୀୟ ଲହର ଆସିଲା। ଖୁବ୍ କମ୍ ଦିନରେ ତାହା ପ୍ରଭାବହୀନ ହେଲା। ଫେବ୍ରୁଆରି ମାସରେ ପଞ୍ଚାୟତ ଓ ମାର୍ଚ୍ଚରେ ପୌର ନିର୍ବାଚନରେ ଜନଜୀବନ ସମ୍ପୂଣ୍ଣ ସ୍ବାଭାବିକ ରହିଲା। ନିର୍ବାଚନ ପ୍ରଚାର ସମ୍ପୂଣ୍ଣ କଟକଣାମୁକ୍ତ ଥିଲା। କରୋନା ପାଇଁ ଲାଗୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନ ହଟିଲା ପରେ ଲୋକସେବା ଭବନକୁ କାହିଁକି ସ୍ବାଭାବିକ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏହା ପଛର ଯୁକ୍ତି କ’ଣ ତାହା ବୁଝା ପଡ଼ୁ ନାହିଁ।
ଲୋକସେବା ଭବନକୁ ଏପରି ସଙ୍ଗରୋଧ କରି ରଖିବାର ଆସ୍ପର୍ଦ୍ଧାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଧାନସଭାରେ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇଥିଲେ ବି ସରକାର ନିରୁତ୍ତର ରହିଲେ। ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପରେ ଏସବୁର ସାମାନ୍ୟ ପ୍ରଭାବ ପଡ଼ି ନ ଥିଲା। ଲୋକଙ୍କ ପାଇଁ ଯେ ‘ଲୋକସେବା ଭବନ’, ତାହା ବୁଝିବାକୁ ମନ୍ତ୍ରୀ, ସଚିବମାନେ ପ୍ରସ୍ତୁତ ନାହାନ୍ତି। ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖି ବେଶ୍ ଖୁସିପାଉଛନ୍ତି ସମସ୍ତେ। କ୍ଷମତାରେ ଥିବା କିଛି ବ୍ୟକ୍ତିଙ୍କ ଏପରି ମାନସିକତା ଯୋଗୁ ପୂରା ସରକାର ହିଁ ସନ୍ଦେହର ବଳୟରେ ରହୁଛନ୍ତି।
ମୁଖ୍ୟ କଥା ହେଉଛି ସାଧାରଣ ସମୟରେ ମଧ୍ୟ ଲୋକସେବା ଭବନକୁ ଲୋକମାନଙ୍କର ଅବାଧ ପ୍ରବେଶ ନ ଥାଏ। କେବଳ ପାସଧାରୀମାନଙ୍କୁ ହିଁ ଅନୁମତି ମିଳେ। କାମ ପଡ଼ିଲେ ଲୋକମାନେ ପାସ୍ ସଂଗ୍ରହ କରି ଭିତରକୁ ଯାଆନ୍ତି। ସେତିକି ଗୁରୁତ୍ବପୂର୍ଣ୍ଣ କାମ ନ ଥିଲେ କେହି ଯା’ନ୍ତି ନାହିଁ। ଆଉ ଯେହେତୁ ସରକାରଙ୍କ ସବୁ ପ୍ରଶାସନିକ ବିଭାଗ ସେଠାରେ ରହିଛି, ତେଣୁ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଯା’ନ୍ତି। ଏହି ଧାରା ଆରମ୍ଭରୁ ଜାରି ରହିଛି। କିନ୍ତୁ ଏବେ ତାହା ବନ୍ଦ କରି ରଖିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ମତପ୍ରକାଶ ପାଉଛି। କୌଣସି ଗୁରୁତ୍ବପୂର୍ଣ୍ଣ କାମ ପଡ଼ିଲେ ଲୋକମାନେ ଆଉ ଭିତରକୁ ଯାଇ ପାରୁ ନାହାନ୍ତି। ଏହା ଆଦୌ ଲୋକାଭିମୁଖୀ ସରକାରଙ୍କର ଆଭିମୁଖ୍ୟ ହେବା ଉଚିତ ନୁହେଁ ବୋଲି ସଚେତନ ନାଗରିକମାନେ ମତ ଦେଉଛନ୍ତି। ଯଦି ସବୁ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଖୋଲିପାରୁଛି, ତେବେ ଲୋକସେବା ଭବନ ସେଥିରୁ ବ୍ୟତିକ୍ରମ କାହିଁକି ? ଅନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଗୋଟିଏ ନିୟମ ଥିଲା ବେଳେ ଲୋକସେବା ଭବନ ପାଇଁ ଅନ୍ୟ ନିୟମ କାହିଁକି?