ମନ୍ତ୍ରୀ ପାର୍ଥ ଡାକ୍ତରଖାନାରେ ରହିବା ଜରୁରି ନୁହେଁ, ଏମ୍‌ସର ରି‌ପୋର୍ଟ ପରେ ଆଜି କୋଲକତା ଫେରିବେ

ମେଡିକାଲ ବୋର୍ଡର ସ୍ବାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ଦାଖଲ

ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ହସ୍ପିଟା‌ଲରେ ରଖି ଚିକିତ୍ସା କରିବାର ଆବଶ୍ୟକତା ନାହିଁ। ଏମ୍‌ସ ଭୁବନେଶ୍ବରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଦାଲତ ନିକଟରେ ଏଭଳି ରିପୋର୍ଟ ଦାଖଲ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ। ତାଙ୍କ ବୟସ-୬୯ରୁ ୭୦। ଓଜନ ୧୧୧ କେଜି। ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଏବଂ ବୃକକ୍‌ଜନିତ ସମସ୍ୟା ତାଙ୍କର ଦୀର୍ଘ ଦିନରୁ ରହିଛି। ପ୍ରାୟ ୧୫ ବର୍ଷ ହେଲା ଏହି ସମସ୍ୟା ଦେଇ ସେ ଗତି କରୁଛନ୍ତି। ମାତ୍ରାଧିକ ଓଜନ ଏହି ସମସ୍ୟାର ଏକ କାରଣ। ନିୟମିତ ଔଷଧ ସେବନ ଏହାର ଉପଚାର। ଓପିଡିରେ ଏଥିପାଇଁ ଚିକିତ୍ସା ହୁଏ। ଡାକ୍ତରଖାନାରେ ଭର୍ତ୍ତିର କୌଣସି ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶକ ପ୍ରଫେସର ବିଶ୍ବାସ କହିଛନ୍ତି। ଡାକ୍ତରୀ ରିପୋର୍ଟ ମିଳିବା ପରେ ଆଜି ବିମାନରେ ତାଙ୍କୁ କୋଲକାତା ନେବାଲାଗି ସ୍ଥିର ହୋଇଛି।

ସୂଚନା ଅନୁଯାୟୀ, ଶନିବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏୟାର୍‌ ଆମ୍ବୁଲାନ୍ସରେ ସୋମବାର ସକାଳେ କୋଲକାତାରୁ ଭୁବନେଶ୍ବର ଅଣାଯାଇଥିଲା। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଏଠାରେ ପହଞ୍ଚିବା ପରେ ଏମ୍‌ସର ପ୍ରାଇଭେଟ୍‌ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପଲମୋନାରି, ହୃଦ୍‌ରୋଗ, ଯକୃତ, ଏଣ୍ଡ୍ରୋକ୍ରିନୋଲୋଜି ବିଭାଗର ଏଚ୍‌ଓଡିଙ୍କୁ ନେଇ ଗଠିତ ମେଡିକାଲ ବୋର୍ଡ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଇସିଜି, ଅଲଟ୍ରାସାଉଣ୍ଡ, ରକ୍ତ ପରୀକ୍ଷା ସମେତ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା। ତାଙ୍କର ହୃଦ୍‌ରୋଗଜନିତ କୌଣସି ସମସ୍ୟା ନଥିବା ଜଣାପଡ଼ିଛି। ଅପରାହ୍ଣ ପ୍ରାୟ ୪ଟା ବେଳକୁ ନିର୍ଦେଶକ ଭର୍ଚୁଆଲ ମାଧ୍ୟମରେ ଅଦାଲତଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଦାଖଲ କରିଥିଲେ। ସୂଚନାଯୋଗ୍ୟ ଯେ ଗିରଫ କରାଯିବା ପରେ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ଏହାକୁ ଇଡି ବିରୋଧ କରିବା ପରେ କଲିକାତା ହାଇକୋର୍ଟଙ୍କ ନିର୍ଦେଶରେ ତାଙ୍କୁ ଭୁବନେଶ୍ବର ଏମ୍‌ସ ଅଣାଯାଇଥିଲା।

ଏୟାର୍‌ ଆମ୍ବୁଲାନ୍ସରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏମ୍‌ସ ଭୁବନେଶ୍ବରରେ ପହଞ୍ଚିବା ପରେ ଏଠାରେ ଚିକିତ୍ସାଧୀନ ବଙ୍ଗୀୟ ରୋଗୀଙ୍କ ପରିଜନମାନେ ତାଙ୍କ ବିରୋଧରେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ଚୋର ଚୋର ବୋଲି ପାଟି କରିଥିଲେ। ଜଣେ ରୋଗୀଙ୍କ ପରିଜନ କହିଛନ୍ତି ଯେ ତାଙ୍କ ମାମୁଁଙ୍କ ଚିକିତ୍ସା ଏଠାରେ ହେଉଛି। ଶିକ୍ଷକ ନିଯୁକ୍ତିରେ ତାଙ୍କ ଭାଇଙ୍କ ଅଧିକ ନମ୍ବର ଥିବା ସତ୍ତ୍ବେ ଚାକିରି ମିଳିନଥିଲା। ଅନ୍ୟ ଜଣଙ୍କୁ ଚାକିରି ମିଳିଲା। ଅଧିକାଂଶ କ୍ଷେତ୍ରରେ ଏଭଳି ସମସ୍ୟା ରହିଛି। ଏଭଳି ବ୍ୟକ୍ତିଙ୍କୁ ଏସି ଆମ୍ବୁଲାନ୍ସରେ କାହିଁକି ଅଣାଯାଇଛି ବୋଲି ପ୍ରଶ୍ନ କରାଯାଇଥିଲା।

ସମ୍ବନ୍ଧିତ ଖବର