ପୂର୍ତ୍ତ ମନ୍ତ୍ରୀଙ୍କ ଅଚାନକ ନିର୍ମାଣ ସୌଧ ଗସ୍ତ, ୩୧ ଅନୁପସ୍ଥିତ କର୍ମଚାରୀଙ୍କୁ ଜବାବ୍ ମାଗିଲେ

ଭୁବନେଶ୍ବର : ରାଜ୍ୟ ସରକାର ନିୟମ କରିଛନ୍ତି ଯେ, ସରକାରୀ କର୍ମଚାରୀମାନେ ପୂର୍ବାହ୍ନ ୧୦ଟାରେ ଅଫିସରେ ପହଞ୍ଚିବେ। ଏହାକୁ କିପରି ସରକାରୀ କର୍ମଚାରୀମାନେ ବାଏଁବାଏଁ ଉଡ଼ାଇ ଦେଇଛନ୍ତି ତାହା ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ସମୟରେ ପୂର୍ବରୁ ଜଣାପଡ଼ିଥିଲା। କିନ୍ତୁ ସବୁଠାରୁ ବିଚିତ୍ର ଅବସ୍ଥା ପୂର୍ତ୍ତ ବିଭାଗରେ ଦେଖିବାକୁ ମିଳିଛି।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତ ୨୨ତାରିଖ ପୂର୍ବା‌ହ୍ନ ୧୦ଟା ୧୫ରେ ନିର୍ମାଣ ସୌଧ ପରିଦର୍ଶନରେ ଯାଇଥିବାବେଳେ ୩୧ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଦେଖିଥିଲେ। ସଚିବାଳୟ ପଛପଟେ ଥିବା ଏହି ଅଫିସରେ ଏପରି ଅବସ୍ଥା ଦେଖି ମନ୍ତ୍ରୀଙ୍କ ମୁଣ୍ଡ ଚକ୍କର କାଟି ଯାଇଥିଲା। ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଅନୁପସ୍ଥିତ ଥିବା ୩୧ଜଣ କର୍ମଚାରୀଙ୍କୁ ଜବାବ ମଗାଯାଇଛି।

ପୂର୍ତ୍ତ ବିଭାଗର ଉପସଚିବ ମହେନ୍ଦ୍ର ପଣ୍ଡା ଏନେଇ ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌)ଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, ପୂର୍ତ୍ତ ମନ୍ତ୍ରୀ ଅକ୍ଟୋବର ୨୨ତାରିଖ ପୂର୍ବାହ୍ନ ୧୦ଟା ୧୫ରେ ନିର୍ମାଣ ସୌଧ ଅଚାନକ ପରିଦର୍ଶନ କରି ପ୍ରାୟ ଅଧଘଣ୍ଟା କାଳ ସେଠାରେ ରହିଥିଲେ। ହେଲେ ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସ‌େମତ ଟାଇପିଷ୍ଟ, ବରିଷ୍ଠ ଡ୍ରାଫ୍ଟ୍‌ସମ୍ୟାନ୍, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ୩୧ଜଣ କର୍ମଚାରୀ ଅନୁପସ୍ଥିତ ଥିଲେ। ତେଣୁ ଏହି କର୍ମଚାରୀମାନଙ୍କୁ ଜବାବ ମଗାଯାଇଛି। ଯଦି ଭବିଷ୍ୟତରେ ସେମାନେ ଅଫିସକୁ ଧାର୍ଯ୍ୟ ସମୟରେ ନଆସି କାର୍ଯ୍ୟରେ ଅବହେଳା କରନ୍ତି ତେବେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। ଭବିଷ୍ୟତରେ ଯେପରି ଏହି ଧାରା ଜାରି ନରହେ ସେଥିପାଇଁ ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌)ଙ୍କ କାର୍ଯ୍ୟାଳୟରେ ବାଇଓମେଟ୍ରିକ୍ ମେସିନ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଅଫିସକୁ ବାହାର ଲୋକ ‌କିଏ କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତା’ର ସବିଶେଷ ସୂଚନା ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର