ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, ହେଲିକପ୍ଟରରେ ଫୁଲବାଣୀରୁ ଭୁବନେଶ୍ବର ଫେରିଲେ

ଫୁଲବାଣୀ/ଭୁବନେଶ୍ବର : ପଞ୍ଚାୟତିରାଜ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ରବିବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରି ହେଲିକପ୍ଟର ଯୋଗେ ସେ ଭୁବନେଶ୍ବର ଫେରିଯାଇଛନ୍ତି।

ମନ୍ତ୍ରୀ ଶ୍ରୀ ଜେନା ପର୍ଯ୍ୟବେକ୍ଷକ ଭାବେ ତିନିଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ। ଗତ ୨୮ ତାରିଖ ସନ୍ଧ୍ୟାରେ ଫୁଲବାଣୀରେ ପହଞ୍ଚିବା ପରେ ୨୯ ତାରିଖରେ ଦାରିଙ୍ଗବାଡ଼ିରେ ଏବଂ ଗତକାଲି ବାଲିଗୁଡ଼ା, କୋଟଗଡ଼ ଏବଂ ତୁମୁଡ଼ିବନ୍ଧରେ ମଧ୍ୟ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରବିବାର ଶେଷଦିନରେ ଫୁଲବାଣୀ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର ଥିଲା। ତେବେ ଗତକାଲି ରାତିରୁ ଶ୍ରୀ ଜେନା ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଡିଏମ୍ଓ ଡାକ୍ତର ଅଭୟ ପଟ୍ଟନାୟକ ଏବଂ ଡାକ୍ତର ଉତ୍କଳ କେଶରୀ ବେହେରାଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ଫୁଲବାଣୀସ୍ଥିତ ସର୍କିଟ୍ ହାଉସ୍ ପରିସରରେ ତାଙ୍କୁ ରଖାଯିବା ସହ ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ଆଜି ଶ୍ରୀ ଜେନାଙ୍କ କୋଭିଡ୍ ଆଣ୍ଟିଜେନ୍ ଏବଂ ଆର୍‌ଟିପିସିଆର୍ ଟେଷ୍ଟିଂ କରାଯାଇଥିବା ବେଳେ ଉଭୟ ରିପୋର୍ଟ ନେଗେଟିଭ୍ ଆସିଥିଲା। ଡାକ୍ତର ପଟ୍ଟନାୟକଙ୍କ କହିବା ଅନୁଯାୟୀ ଶ୍ରୀ ଜେନା ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ତାଙ୍କ ରକ୍ତଚାପ କମିଯାଇଥିଲା। ମାତ୍ର ନାକରେ ନେବୁଲାଇଜର୍ ଦିଆଯିବାରୁ ନିଃଶ୍ବାସପ୍ରଶ୍ବାସ ସମସ୍ୟା ଟଳିଯାଇଥିଲା।

ତେବେ ମନ୍ତ୍ରୀ କ୍ଲାନ୍ତ ଅନୁଭବ କରୁଥିବାରୁ ସଡ଼କପଥରେ ଭୁବନେଶ୍ବର ଯିବା କଷ୍ଟକର ଥିଲା। ଫଳରେ ତାଙ୍କୁ ଏୟାର ଲିଫ୍ଟିଂ କରିବାକୁ ପରାମର୍ଶ ଦିଆଯାଇଥିଲା। ଆଜି ଅପରାହ୍ଣ ୩ଟାରେ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର୍ ମାଦିକୁନ୍ଦା ଛକସ୍ଥିତ ପୁଲିସ ବ୍ୟାରାକ୍ ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ପରେ ମନ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ସର୍କିଟ ହାଉସ୍‌ରୁ ହେଲିପ୍ୟାଡ୍‌କୁ ଅଣାଯାଇଥିଲା। ମନ୍ତ୍ରୀଙ୍କ ସହ ଡାକ୍ତର ଉତ୍କଳକେଶରୀ ବେହେରା ମଧ୍ୟ ଭୁବନେଶ୍ବର ଯାଇଥିଲେ। ମନ୍ତ୍ରୀଙ୍କ ଅସୁସ୍ଥ ହେବା ଖବର ପାଇ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି., ଏସ୍.ପି ବିନୀତ୍ ଅଗ୍ରୱାଲ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପହଞ୍ଚିଥିଲେ।

ଭୁବନେଶ୍ବରରେ ପହଞ୍ଚିଲା ପରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଆପୋଲୋ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ଆବଶ୍ୟକ ଚିକିତ୍ସା କଲା ପରେ ରାତିରେ ସେ ନିଜ ବାସଭବନକୁ ଫେରିଥିଲେ। ଡାକ୍ତର ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର