ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ତଦନ୍ତ ହେବ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଅଧିକ ତଦନ୍ତ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ସାଲେପୁର ଜେଏମ୍‌ଏଫସି୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରି ମାହାଙ୍ଗା ଥାନା ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଶ୍ରୀ ଜେନାଙ୍କ ନାଁ କାଟିଦିଆଯିବା ପ୍ରସଙ୍ଗକୁ ବିରୋଧ କରି ହତ୍ୟାକାଣ୍ଡର ଶିକାର କୁଳମଣି ବରାଳଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳଙ୍କ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଜେନାଙ୍କୁ ସମନ୍ ଜାରି କରିବାକୁ ଅଦାଲତ ମନା କରିବା ସହିତ ଏତଲାକାରୀଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଯଥାଶୀଘ୍ର କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଶ୍ରୀ ବରାଳଙ୍କ ପକ୍ଷରୁ ଦାୟର ପ୍ରୋଟେଷ୍ଟ ପିଟିସନର କପି ଆଇଆଇସିଙ୍କୁ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରୋଟେଷ୍ଟ ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ ଏହି ଡବଲ ମର୍ଡର ଘଟଣା ନେଇ ମାହାଙ୍ଗା ଥାନାରେ ଶ୍ରୀ ଜେନାଙ୍କ ସମେତ ୧୩ଜଣଙ୍କ ବିରୋଧରେ ଶ୍ରୀ ବରାଳ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ଆଧାରରେ ୧୩ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିଥିଲା। କିନ୍ତୁ ମାମଲାରେ ୧୨ଜଣ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ନାଁ କାଟି ଦିଆଯାଇଥିଲା। ଶ୍ରୀ ଜେନାଙ୍କ ବିରୋଧରେ ରହିଥିବା ଅଭିଯୋଗର ତଦନ୍ତକାରୀ ଅଧିକାରୀ ଠିକ୍‌ ଭାବେ ତଦନ୍ତ କରିନଥିଲେ ବୋଲି ଏହି ପିଟିସନରେ ଶ୍ରୀ ବରାଳଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପଟେ ଚାର୍ଜସିଟରେ ତଦନ୍ତକାରୀ ଅଧିକାରୀ ଦର୍ଶାଇଥିଲେ ଯେ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ଯାଞ୍ଚ କରାଯାଇଥିଲା। ଶ୍ରୀ ଜେନାଙ୍କ ଫୋନ କଲ୍ ଅଭିଯୁକ୍ତଙ୍କ ନିକଟକୁ ଆସି ନଥିବା ସିଡିଆର ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା। ତେଣୁ ଶ୍ରୀ ଜେନାଙ୍କ ବିରୋଧରେ ଶ୍ରୀ ବରାଳ କରିଥିବା ଅଭିଯୋଗ ଗ୍ରହଣୀୟ ନୁହେଁ। ଅଦାଲତ ଉଭୟ ପକ୍ଷଙ୍କ ତଥ୍ୟ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଶ୍ରୀ ଜେନାଙ୍କୁ ସମନ କରିବାକୁ ମନା କରିଛନ୍ତି। କିନ୍ତୁ ଘଟଣାର ଅଧିକ ତଦନ୍ତ ସପକ୍ଷରେ ଅଦାଲତ  ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧, ଜାନୁଆରି ୨ରେ ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ(୭୩) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ବ୍ରାହ୍ମଣସାହି ନିକଟରେ ସଂଘବଦ୍ଧ ଆକ୍ରମଣ କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର