କେନ୍ଦୁଝର: ସାରାରାଜ୍ୟରେ ଜିଲ୍ଲା ପରିଷଦ ଭୋଟ ଫଳ ଏକତରଫା ଭାବେ ବିଜେଡି ସପକ୍ଷରେ ଯାଇଛି। ଏଭଳି ଫଳାଫଳ ଶାସକ ଦଳ ନେତାଙ୍କ ପାଇଁ ସୁଖଦ ଅନୁଭୂତି ଆଣିଛି। ତେବେ କେନ୍ଦୁଝର ଜିଲ୍ଲାର ଜଣେ ମନ୍ତ୍ରୀ ଏବଂ ୨ଜଣ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଗୋଟିଏ ଲେଖାଏଁ ଜୋନ୍ ହରାଇ ଚିନ୍ତାରେ ପଡ଼ିଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ଅଛନ୍ତି ତେଲକୋଇ ବିଧାୟକ ତଥା ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏବଂ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ। ବିଭିନ୍ନ କାରଣରୁ ଏହି ନେତାମାନେ ଗଡ଼ରକ୍ଷାରେ ବିଫଳ ହୋଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳକୁ ଦେଖିଲେ କେନ୍ଦୁଝର ଜିଲ୍ଲାରେ ବିଜେଡି ୨୦୧୭ରେ ୨୫ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇଥିବା ବେଳେ ବିଜେପି ୬ଟି ଏବଂ ସନାତନ ମହାକୁଡ଼ଙ୍କ ସମର୍ଥନରେ ସ୍ବାଧୀନ ଭାବେ ୬ଜଣ ବିଜୟୀ ହୋଇଥିଲେ। ଏଥର ଭୋଟ ହୋଇଥିବା ୩୬ଟି ଜୋନ୍ ମଧ୍ୟରୁ ୩୩ଟି ବିଜେଡି ଏବଂ ୩ଟି ଜୋନ୍ ବିଜେପି ଖାତାକୁ ଯାଇଛି। ଅବଶ୍ୟ ଏଥର ସନା ନିଜେ ପ୍ରାର୍ଥୀ ନଦେଇ ବିଜେଡି ସପକ୍ଷରେ ଗଲେ। ତେଣୁ ଜିଲ୍ଲାରେ ସ୍ବାଭାବିକ ଭାବେ ବିଜେଡି ଫାଇଦା ପାଇଛି। ତେବେ ବିଜେଡି ଏଥର ଜିଲ୍ଲାରେ ଶକ୍ତି ଗୋଟାଇଥିଲେ ମଧ୍ୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଗଡ଼ରେ ଦୁର୍ବଳ ପ୍ରଦର୍ଶନ କରିଛି। ପଞ୍ଚାୟତ ନିର୍ବାଚନରେ ମନ୍ତ୍ରୀଙ୍କ ନିଜ ଜୋନ୍ ୧୯ ନମ୍ବରରେ ବିଜେଡି ପ୍ରାର୍ଥୀ ପରାଜିତ ହେବା ଭିନ୍ନ ସଂକେତ ଦେଉଛି।
କେନ୍ଦୁଝର ଜିଲ୍ଲାର ତେଲକୋଇ ନିର୍ବାଚନମଣ୍ଡଳୀରେ ୨୦୧୪ ନିର୍ବାଚନରେ ବେଦବ୍ୟାସ ନାୟକ ନିର୍ବାଚିତ ହୋଇଥିଲେ। ଏହାପରେ ତେଲକୋଇରେ ବିଜେଡି ସଂଗଠନ ଦୁର୍ବଳ ହୋଇ ଚାଲିଥିଲା। ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ଇଂ ପ୍ରେମାନନ୍ଦ ନାୟକଙ୍କୁ ବିଜେଡି ପ୍ରାର୍ଥୀ କଲା। ନିର୍ବାଚନରେ ମଧ୍ୟ ପ୍ରେମାନନ୍ଦ ବିଜୟୀ ହୋଇଥିଲେ। ଏହାପରେ ଦଳ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ଦେଇଥିଲା। ମନ୍ତ୍ରୀ ହେବାପରେ ପ୍ରେମାନନ୍ଦ ନିଜ ଅଞ୍ଚଳ ପ୍ରତି ସମୟ ଦେଉନଥିବାରୁ ଅନେକ ଅସନ୍ତୁଷ୍ଟ ହୋଇଛନ୍ତି। ଯାହାକି ଏହି ନିର୍ବାଚନରେ ପ୍ରତିଫଳିତ ହୋଇଛି ବୋଲି କୁହାଯାଉଛି। ଏହି ପଞ୍ଚାୟତ ନିର୍ବାଚନରେ ୧୯ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଶାନ୍ତିପ୍ରିୟା ନାୟକ ବିଜେପି ପ୍ରାର୍ଥୀ ଛଇଳବାଳା ନାୟକଙ୍କ ଠାରୁ ୧୨୮୭ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଏଥିସହ ଭୋଟ ପୂର୍ବରୁ ବରିଷ୍ଠ ବିଜେପି ନେତା ଧନୁର୍ଜୟ ସିଦୁ ବିଜେଡିରେ ମିଶିବା ପରେ ଏଠାରେ ଦୁଇଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାରୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିବା ଆଲୋଚନା ହେଉଛି।
ସେହିପରି ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଏଥର ବିଜେପି ବାଜିମାତ୍ କରିଛି। ଏହି ଜୋନ୍ରୁ ୨୦୧୭ରେ ସନା ସମର୍ଥିତ ପ୍ରଭାକର ସାହୁ ବିଜୟୀ ହୋଇଥିଲେ। ସନା ବିଜେଡି ଆଡକୁ ଢଳିବାରୁ ସ୍ବାଭାବିକ ଭାବେ ଏଠାରେ ଦଳ ଭଲ କରିବା କଥା। ହେଲେ ଏଠାରୁ ବିଜେପି ପ୍ରାର୍ଥୀ ବିଜୟୀ ହେବା ବିଧାୟକ ଭାଗୀରଥି ସେଠୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଜୋନ୍ର ସ୍ଥିତି ପରଖିଥିଲେ ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ବିଧାୟକ ଶ୍ରୀ ସେଠୀଙ୍କ ବାସଭବନରେ ରୁଦ୍ଧଦ୍ବାର ବୈଠକ କରିଥିଲେ। ହେଲେ ବିଜେଡିର ସବୁ ଯୋଜନା ଫସର ଫାଟି ଯାଇଥିବା ସ୍ପଷ୍ଟ ହୋଇଛି। ସେହିପରି ଚମ୍ପୁଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯୋଡ଼ାର ୨୮ ନମ୍ବର ଜୋନ୍ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରେ ୨୦୧୭ରେ ସନା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାରତୀ ଗିରି ବିଜୟୀ ହୋଇଥିଲେ। ସନାଙ୍କ ସହ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଗୋଷ୍ଠୀର ବିବାଦ ତୀବ୍ର ହୋଇଥିବାରୁ ବିଜେଡି ଏହି ଜୋନ୍ରେ ପରାସ୍ତ ହୋଇଥିବା କୁହାଯାଉଛି। ଯୋଡ଼ା ୨୮ ନମ୍ବର ଜୋନ୍ରେ ବିଧାୟିକା ନିଜ ପସନ୍ଦର ପ୍ରାର୍ଥୀ ଦେଇଥିଲେ। ତେଣୁ ଏହି ପରାଜୟ ତାଙ୍କ ପାଇଁ ଶକ୍ତ ଧକ୍କା ହୋଇଥିବା ବେଳେ ସନାଙ୍କ ଗୋଷ୍ଠୀ କିନ୍ତୁ ଖୁସି ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/10-1.jpg)