ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ, ସେତେ ଶୀଘ୍ର ରେଳପ୍ରକଳ୍ପ କାର୍ଯ୍ୟ ତରାନ୍ବିତ ହେବ: ଅଶ୍ବିନୀ ବୈଷ୍ଣବ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସିଥିଲେ। ଦିନ ଦଶଟା ସମୟରେ ମାଲକାନଗରିରେ ପହଞ୍ଚିବା ପରେ ସୁବାଷ ବୋଷ ଛକ ନିକଟରେ ଅଶ୍ବିନୀ ବୈଷ୍ଣବଙ୍କୁ ସ୍ବାଗତ କରାଯାଇଥିଲା। ଆଦିବାସୀ ଧୁନ ସହ ନୃତ୍ୟର ତାଳେ ତାଳେ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସହ କେନ୍ଦୁଝର, ବୌଦ୍ଧ ଏବଂ ବାଲେଶ୍ବରର ଉପଡାକଘରର ନୂତନ କୋଠାଗୃହକୁ ଉଦଘାଟନ କରିଥିଲେ।

ଡାକଘର ଉଦଘାଟନ ପରେ ଡିଆରଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କୁ ନେଇ କେନ୍ଦ୍ରୀୟ ଯୋଜନାଗୁଡିକର ସମୀକ୍ଷା କରିଥିଲେ। ବିଶେଷକରି ପାନୀୟ ଜଳ, ମୋବାଇଲ ନେଟଓ୍ୱର୍କ,ରାସ୍ତା ,ଗରିବଙ୍କୁ ପୁଷ୍ଟିସାର ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ। ଶେଷରେ ସଂସ୍କୃତି ଭବନରେ ଜିଲ୍ଲା ବିଜେପି କର୍ମକର୍ତ୍ତାଙ୍କ ସହ ସଂଗଠନ ବିଷୟରେ ଆଲୋଚନା କରିଥିଲେ।

ପରେ ସାମ୍ବାଦିକ ସମ୍ମିଳନୀ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ମାଲକାନଗିରି ରେଳ ପ୍ରକଳ୍ପକୁ ମାଲକାନଗିରିଠାରୁ ଭଦ୍ରାଚଳମ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ଓ ନବରଂଗପୁର ଠାରୁ ଜୁନାଗଡ ପର୍ଯ୍ୟନ୍ତ ନୂତନ ସଂଯୋଗୀକରଣ ପାଇଁ ବ୍ଲୁପ୍ରିଣ୍ଟ କରାଯାଇଛି, ଯାହାଦ୍ବାରା ଭଦ୍ରାଚଳମରୁ ଜୁନାଗଡ ପର୍ଯ୍ୟନ୍ତ ରେଳବାଇର ନୂତନ କରିଡର ପ୍ରତିଷ୍ଠା ହୋଇପାରିବ। ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ ସେତେ ଶୀଘ୍ର ରେଳପ୍ରକଳ୍ପ କାର୍ଯ୍ୟ ତରାନ୍ବିତ ହେବ। ଏହାସହ ଜିଲ୍ଲାରେ ୩୦୬ଟି ମୋବାଇଲ ଟାଵାର, ଜିଲ୍ଲାର ୩୬୩ ଗ୍ରାମର ଘର ଘକୁ ପାନୀୟ ଜଳ ପହଞ୍ଚାଯାଇଛି। ମାଲକାନଗିରି ଡାକଘର ଦୁର୍ନୀତିକୁ ନେଇ କେନ୍ଦ୍ର ସରକାର ୮୦ ପ୍ରତିଶତ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରାଇଥିବା ବେଳେ ଏହି ଦୁର୍ନୀତିରେ ଜଡ଼ିତ ଥିବା ୨୨ ଜଣ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗାମୀ ଦିନରେ ଡାକଘର , ଡାକଘର ହୋଇ ନରହି ବ୍ୟାଙ୍କର ରୂପ ନେବାକୁ ଯାଉଛି।

ସମ୍ବନ୍ଧିତ ଖବର