ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସ୍ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଏମ୍ଏସ୍ ନିର୍ଦ୍ଦେଶିକା କହିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ସମ୍ପର୍କରେ ଏକ ଭୁଲ୍ ଟ୍ବିଟ୍ କରି ସମାଲୋଚନାର ଶିକାର ହୋଇଛନ୍ତି। ସେ ଟ୍ବିଟ୍ କରିଥିଲେ ଯେ ବିରୋଧୀ ଦଳ ନେତାଙ୍କ ପରଲୋକ ମୋତେ ମର୍ମାହତ କରିଛି ଓ ଏହା ଯନ୍ତ୍ରଣାଦାୟକ। ତାଙ୍କ ପରଲୋକ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହା କି କେବେ ପୂରଣ ହୋଇପାରିବ ନାହିଁ। ଏହା ଲେଖିବା ସହ ଶ୍ରୀ ନାଏକଙ୍କ ସହ ତାଙ୍କର ଏକ ଫଟୋକୁ ପୋଷ୍ଟ କରି ଶ୍ରୀ ସ୍ବାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ପୋଷ୍ଟ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା। ମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।
କିଛି ସମୟ ପରେ ସେ ପୋଷ୍ଟକୁ କାଟି ଦେଇଥିଲେ। ଭୁଲ୍ ସ୍ବୀକାର କରି ପୁଣି ଟ୍ବିଟ୍ କରିଥିଲେ ଯେ ଏକ ଟିଭି ଚ୍ୟାନେଲ୍ରେ ମୁଁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରଲୋକ ଖବର ଦେଖିଲା ବେଳେ ଭୁଲ୍ରେ ପ୍ରଦୀପ ନାଏକ ବୋଲି ପଢ଼ି ଦେଇଥିଲି। ଏହା ଆଦୌ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ଏଥି ପାଇଁ ମୁଁ ଦୁଃଖିତ। ଏହା ଏକ ମନୁଷ୍ୟକୃତ ତ୍ରୁଟି ଓ କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। ଏହି ଟ୍ବିଟ୍ ପାଇଁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଶ୍ରୀ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।