ବିଦେଶରେ ରହୁଥିବା ଓଡ଼ିଆଙ୍କ ସହ କଥା ହେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଉପୁଜୁଥିବା ଅସ୍ବାଭାବିକ ପରିସ୍ଥିତିରେ ସାରା ବିଶ୍ବ ଗତି କରୁଥିଲା ବେଳେ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ‌ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ସହ ଜୁମ୍ ଆପ୍ ଯୋଗେ କଥା ହୋଇଛନ୍ତି। ଓଡ଼ିଶାରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ସ୍ବାଇଁ ସେମାନଙ୍କୁ ଅବଗତ କରାଇବା ସହ ପ୍ରବାସୀ ଓଡ଼ିଆମାନଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ସେ କହିଥିଲେ ଯେ କୋଭିଡ୍‌ ସଂକ୍ରମଣରେ ଓଡ଼ିଶାରେ ମୃତ୍ୟୁହାର ୦.୪୨ ପ୍ରତିଶତ, ଯାହା କି ବିଶ୍ବରେ ସବୁଠାରୁ କମ୍। କୋଭିଡ୍‌ ମୁକାବିଲା କରିବା ନିମନ୍ତେ ଅତି କମ୍ ସମୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇପାରିଛି। ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତ‌େର ୭,୩୮,୬୦୨ଟି ଶଯ୍ୟା ସୁବିଧା ଥାଇ ୧୬,୬୪୪ ଅସ୍ଥାୟୀ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଲୋକମାନଙ୍କ ଖାଦ୍ୟ ନିରାପତ୍ତା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

ବିଦେଶରୁ ଫେରିବା ପାଇଁ ଆଗ୍ରହୀ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ ପ୍ରବାସୀମାନେ ମନ୍ତ୍ରୀଙ୍କୁ କହିଥିଲେ। ସେମାନଙ୍କ ପାଇଁ ଏକ ଏନ୍‌ଆର୍‌ଆଇ ସେଲ୍‌ ଖୋଲିବା ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସେମାନେ ଅନୁରୋଧ କରିଥିଲେ। ଯେଉଁ ଓଡ଼ିଆ ଶ୍ରମିକ ବିଦେଶରୁ ଫେରିବେ, ସେମାନଙ୍କ ପାଇଁ ଓଡ଼ିଶାରେ ସଙ୍ଗରୋଧ ବ୍ୟବସ୍ଥା ସହ କର୍ମନିଯୁକ୍ତି ବ୍ୟବସ୍ଥା କରିବାକୁ ପ୍ରବାସୀମାନେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ପ୍ରବାସୀମାନେ ବ‌େନ୍ଦ ଉତ୍କଳ ଜନନୀ ଗାନ କରିବାକୁ ମନ୍ତ୍ରୀ ନିବେଦନ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ବାହାରିନ୍, କୁଏତ, କ୍ବାତାର, ସାଉଦି ଆରବ, ଓମାନ୍, କାନାଡ଼ା ଆଦି ଦେଶରେ ରହୁଥିବା ଓଡ଼ିଆମାାନେ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର