ଏବେ ମନେ ପଡ଼ିଲା ସୀମାନ୍ତ ଅଞ୍ଚଳ : ଓଡ଼ିଶା ସୀମାନ୍ତ ଗାଁରେ ପହଞ୍ଚିଲେ ମନ୍ତ୍ରୀ
ସମସ୍ୟା ଶୁଣିଲେ, ସମାଧାନ ପ୍ରତିଶ୍ରୁତି ଦେଲେ
ରାଉରକେଲା: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତକୁ ସଫଳ କରିବା ପାଇଁ ରାତିଦିନ ଏକ କରିଦେଇଛନ୍ତି ଶାସକ ଦଳର ମନ୍ତ୍ରୀ ଓ ବିଧାୟକ। ଗସ୍ତର ଅବ୍ୟବହିତ ପୂର୍ବରୁ ୧୭ ଜଣ ମନ୍ତ୍ରୀଙ୍କୁ ୧୭ଟି ବ୍ଲକ୍ର ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରାୟ ୮୦ ଜଣ ବିଧାୟକ ମନ୍ତ୍ରୀମାନଙ୍କ ସହ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେମାନେ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ଯାଇ ଲୋକଙ୍କ ସମସ୍ୟା ବାବଦରେ ଅବଗତ ହେବାସହ ସେସବୁର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନ୍ତ୍ରୀମାନେ ଏବେ ସୀମାନ୍ତ ଅଞ୍ଚଳ ବୁଲୁଛନ୍ତି। ଯେଉଁଠି କେବେ କୌଣସି ମନ୍ତ୍ରୀଙ୍କ ପାଦ ପଡ଼ିନଥିଲା, ସେସବୁ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ଶୁଣୁଛନ୍ତି। କୋଟିଆ ଭୟ ହେଉ ଅବା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସଫଳ କରିବା ଉଦ୍ଦେଶ୍ୟ; ସୁନ୍ଦରଗଡ଼ ସୀମାନ୍ତ ଅଞ୍ଚଳରେ ମନ୍ତ୍ରୀ, ବିଧାୟକଙ୍କ ତୋଫାନି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିତରେ କୌତୂହଳ ପ୍ରକାଶ ପାଇଛି।
ଏହିକ୍ରମରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ନୂଆଗାଁ ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିଲେ। ନୂଆଗାଁ ବ୍ଲକ୍ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ଦାସ ଗତକାଲି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତି ଅଞ୍ଚଳ ହାତିବାରୀ, ଜାହାଡ଼ିଟୋଲି, ଚିତାପେଡି, ଗୁଦୁଗୁଡା, ପତ୍ରାପାଲି ଆଦି ଅଞ୍ଚଳ ବୁଲିଥିଲେ। ଆଜି ସୀମାବର୍ତ୍ତୀ କପାଟମୁଣ୍ଡା, ଜରୈକେଲା, ଭାଲୁଲତା, ମନକୋ, ତୁଲସିକାନୀ ଅଞ୍ଚଳ ବୁଲିଥିଲେ। ସେହିଭଳି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ବିଶ୍ରା ସୀମାବର୍ତ୍ତି ଅଞ୍ଚଳରେ ପହଞ୍ଚିଥିଲେ। ଶ୍ରୀ ବେହେରା ଦରେଇକେଲା, ଠେଠେଇପୋଷ, ବମ୍ବୁଆ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଉଭୟ ମନ୍ତ୍ରୀ ସୀମାନ୍ତ ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ଅଭାବ ଅସୁବିଧା ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହାସହ ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ।
ପୂର୍ବରୁ ମନ୍ତ୍ରୀଙ୍କ ପାଦ ପଡ଼ିନଥିବାବେଳେ ସଂପ୍ରତି ମାଳମାଳ ମନ୍ତ୍ରୀଙ୍କ ତୋଫାନି ଗସ୍ତକୁ ଲୋକେ ସ୍ବାଗତ କରିଛନ୍ତି ସତ, ମାତ୍ର ମନରେ କ୍ଷୋଭ ବି ସ୍ପଷ୍ଟ ବାରି ହୋଇପଡ଼ିଛି। ସେମାନଙ୍କ ଦୁଃଖ କଥା ଶୁଣିବାକୁ କାହିଁକି ଏଯାଏ କେହି ଆସୁ ନଥିଲେ, କେମିତି ଏତେ ବର୍ଷ ପରେ ତାଙ୍କ କଥା ମନେ ପଡ଼ିଗଲା !! ଗସ୍ତ ପଛର ଉଦ୍ଦେଶ୍ୟ ଯାହା ଥାଉ ନା ପଛେ, ମନ୍ତ୍ରୀମାନଙ୍କ ଗସ୍ତ କିନ୍ତୁ ଲୋକଙ୍କ ମନରେ ସବୁ ସମସ୍ୟାର ସମାଧାନ ହେବାର ନୂଆ ଆଶା ସଞ୍ଚାର କରିଛି।