ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା : ଏସଓପି ପ୍ରସ୍ତୁତି ପରେ ପାଠପଢା ଆରମ୍ଭ ନେଇ ତାରିଖ ଘୋଷଣା ହେବ

ଭୁବନେଶ୍ବର : ଓଡ଼ିଶା ସରକାର କେତେକ କଟକଣା ସହ ଆସନ୍ତା ନଭେମ୍ବର ୧୬ ପରେ ୯ମରୁ ଦ୍ବାଦଶ  ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଜର ଅନଲକ ୬.୦ ଗାଇଡଲାଇନରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରି ଗାଇଡଲାଇନ ସଂପର୍କରେ ସେ ଅବଗତ ଅଛନ୍ତି। ଗାଇଡଲାଇନରେ ନଭେମ୍ବର ୧୬ରୁ ୯ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ୍ ଖୋଲିବାକୁ କୁହାଯାଇଛି । ଏଥିପାଇଁ ବିଭାଗ ପ୍ରସ୍ତୁତ ରହିଛି । ତେବେ ସ୍କୁଲ ଖୋଲିବା ନେଇ ମାନକ କାର୍ଯ୍ୟବିଧି ବା ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଏସଓପି ପ୍ରସ୍ତୁତି ପରେ କେଉଁ ତାରିଖରୁ ପାଠପଢା ଆରମ୍ଭ ହେବ ସେ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ । ଏ ନେଇ ଏସଆରସିଙ୍କୁ ପ୍ରସ୍ତାବ ପଠାଇଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଆଜି ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ନଭେମ୍ବର ୧୬ ପରେ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବେ ବୋଲି ଏଥିରେ କୁହାଯାଇଥିଲା ।

ଅନ୍ୟ ପକ୍ଷରେ ରାଜଧାନୀ ଭୁବନେଶ୍ବରରେ ସ୍କୁଲ୍ ଖୋଲିବା ନେଇ ମତ ରଖିଛନ୍ତି ଭୁବନେଶ୍ବର ମହାନଗର ନିଗମ ଅଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀ। ସେ କହିଛନ୍ତି, ଗଣଶିକ୍ଷା ବିଭାଗ ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତ କରାଯାଉଛି। ଏହି ଏସଓପି ଜାରି ହେବା ପରେ ଭୁବନେଶ୍ବରରେ ସ୍କୁଲ ଖୋଲିବ। ଆମେ ବର୍ତ୍ତମାନ ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କି ପ୍ରକାର  କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତା’ଉପରେ ନଜର ରଖିଛୁ।

ସମ୍ବନ୍ଧିତ ଖବର