ନଈ ନ ଦେଖୁଣୁ ଲଙ୍ଗଳା ହେଲେ ଚଳିବ ନାହିଁ, ତିଳକୁ ତାଳ କର ନାହିଁ: ଯୋଗାଣ ମନ୍ତ୍ରୀ

ଅସନ୍ତୋଷ ଜଣାଇ କକ୍ଷତ୍ୟାଗ କଲେ ବିଜେପି, କଂଗ୍ରେସ

ଭୁବନେଶ୍ବର: ଟୋକନ୍ ବ୍ୟବସ୍ଥା ନୂଆ ନୁହେଁ। ପୂର୍ବରୁ ଏହା ଥିଲା। ଏଥର ଆମେ ତାହାକୁ ରାଜ୍ୟସ୍ତରରେ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ ବ୍ୟବସ୍ଥା କଲୁ। ଫଳରେ ତୃଣମୂଳ ସ୍ତରରେ ଟୋକନ୍‌ ବଣ୍ଟନରେ ଅନିୟମିତତା ପ୍ରତିହତ ହେବ। ଚାଷୀମାନଙ୍କୁ ଟୋକନ୍ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ନୂଆ ବ୍ୟବସ୍ଥା ନିଶ୍ଚିତ ଭାବେ ସଫଳ ହେବ। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଏମିତି ଜୋର୍‌ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଉ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ନଈ ନ ଦେଖୁଣୁ ଲଙ୍ଗଳା ହେଲେ ଚଳିବ ନାହିଁ। ତିଳକୁ ତାଳ କର ନାହିଁ।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ବର୍ତ୍ତମାନ ଡିଜିଟାଇଜେସନ୍ ଓ ସ୍ବଚ୍ଛତା କଥା କୁହାଯାଉଛି। ସେଥିପାଇଁ ରାଜ୍ୟସ୍ତରରେ ଟୋକନ୍ ବ୍ୟବସ୍ଥା କରାଯାଇଛି। ଟୋକନ୍ ପ୍ରସ୍ତୁତି ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇଛି। ପ୍ରତ୍ୟେକ ମଣ୍ଡି ତାରିଖରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଓ ବଡ଼ ଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ସୁଯୋଗ ପାଇବେ। ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଧାନ ନ ଆଣି ପାରିଲେ ପରବର୍ତ୍ତୀ ସମୟରେ ମଧ୍ୟ ଚାଷୀଙ୍କୁ ଧାନ ବିକ୍ରିର ସୁଯୋଗ ଦିଆଯିବ। ଏହା ପଛରେ ଯେଉଁ ମହତ ଉଦ୍ଦେଶ୍ୟ ରହିଛି ସେଥିରେ ସମସ୍ତେ ସହଯୋଗ କରନ୍ତୁ। ବ୍ୟବସ୍ଥାଟି ମାତ୍ର ତିନି ଦିନ ହେଲା ଆରମ୍ଭ ହୋଇଛି। ଧୈର୍ଯ୍ୟ ଧରନ୍ତୁ, ନିଶ୍ଚିତ ସଫଳ ହେବ। ଆମ ପି-ପାସ୍ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଯେମିତି ପୁରସ୍କୃତ କରିଛନ୍ତି, ସେମିତି ଟୋକନ୍ ବ୍ୟବସ୍ଥା ବି ଦିନେ ଭଲ ବ୍ୟବସ୍ଥା ଭାବେ ପୁରସ୍କୃତ ହେବ।

ଏସ୍ଏଚ୍‌ଜିଙ୍କୁ ଧାନ ସଂଗ୍ରହ ଦାୟିତ୍ବ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ମନ୍ତ୍ରୀ କହିଲେ ଯେ କଳାହାଣ୍ଡିରେ ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ବ ଦିଆଯାଇଥିଲା ଓ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିଲା। ଏଥର ୧୫୦ ଏସ୍‌ଏଚ୍‌ଜିଙ୍କୁ ସୁଯୋଗ ଦିଆଯାଇଛି। ଆଶା କରାଯାଉଛି ଯେ ସେମାନେ ଭଲ କାମ କରିବେ। ସେହିପରି ମଡେଲ୍‌ ମଣ୍ଡି ପ୍ରସ୍ତାବକୁ ବିଚାର କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ ଜଣାଇଥିଲେ ଯେ ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟର ଚାଷୀମାନଙ୍କ ଠାରୁ ସରକାରୀ ଘୋଷିତ ଦରରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିକ୍ରିଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଛନ୍ତି। ଚଳିତ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ୧୨ ଲକ୍ଷ ୩୫ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ନିମନ୍ତେ ସେମାନଙ୍କ ପାକ୍ସ/ଲ୍ୟାମ୍ପସ୍ ଆଦି କ୍ରୟକାରୀ ସମିତିମାନଙ୍କ ଜରିଆରେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଖରିଫ ଋତୁ ପାଇଁ ଧାନ କ୍ରୟ ହାର ଜଳସେଚିତ ଓ ଅଣ‌ଜଳସେଚିତ ଜମି ପାଇଁ ଏକର ପ୍ରତି ଯଥାକ୍ରମେ ୧୯ ଓ ୧୩ କ୍ବିଣ୍ଟାଲ ଧାର୍ଯ୍ୟ କରାଯାଇଛି।

ମନ୍ତ୍ରୀ ଧାନ ସଂଗ୍ରହ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଲମ୍ବା ତାଲିକା ଦେବା ସହ ଏ ବର୍ଷ କେଉଁ ଜାଗାର କେତେ ଚାଷୀଙ୍କୁ ଟୋକନ୍ ପଠାଯାଇଛି ଓ କେଉଁଠି କେଉଁଠି ଧାନ ସଂଗ୍ରହ ଆରମ୍ଭ ହୋଇଛି, ତାହାର ତଥ୍ୟ ଦେଇଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ଯେ ମନ୍ତ୍ରୀଙ୍କ ଉତ୍ତର ଓ କ୍ଷେତ୍ର ସ୍ତରର ବାସ୍ତବତା ମଧ୍ୟରେ ସାମଞ୍ଜସ୍ୟ ନାହିଁ। ତେଣୁ ବିଜେପି କକ୍ଷତ୍ୟାଗ କରୁଛି। ଏହା କହି ବିଜେପି ସଭ୍ୟମାନେ ବାହାରକୁ ଚାଲିଯାଇଥିଲେ। ମନ୍ତ୍ରୀଙ୍କ ଉତ୍ତର ଚାଲିଥିଲା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିଲେ, ଧାନ କିଣିବାକୁ ଜିଲ୍ଲା କମିଟି ୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେହି ସମୟରେ ଟୋକନ୍ କାହିଁକି ପହଞ୍ଚିପାରିଲା ନାହିଁ ? ସରକାର ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଧାନ କ୍ରୟ ହାର ଏକର ପ୍ରତି ଯଥାକ୍ରମେ ୧୯ ଓ ୧୩ କ୍ବିଣ୍ଟାଲ ଧାର୍ଯ୍ୟ କରିଛନ୍ତି। କିନ୍ତୁ ସରକାର ଧାନ ଅମଳ ବଢ଼ାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯଦି ଜଣେ ଚାଷୀ ଗୋଟିଏ ଏକରରୁ ୪୦ କ୍ବିଣ୍ଟାଲ ଅମଳ କରେ, ତେବେ ସରକାର ତାହାକୁ କିଣିବେ କି? ଯୋଗାଣ ମନ୍ତ୍ରୀ ଏହାର ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନ ଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ମିଶ୍ର କହିଥିଲେ ଯେ ମନ୍ତ୍ରୀ ଠିକ୍ ଉତ୍ତର ଦେବାକୁ ଚାହୁଁ ନାହାନ୍ତି। ତେଣୁ ଆମେ ଏଠାରେ ବସିବୁ କାହିଁକି? ଏହା କହି କଂଗ୍ରେସ ସଭ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର