ଭୁବନେଶ୍ବର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଯଥା ସମୟରେ ହେବ। ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବାରୁ ପରୀକ୍ଷା ଘୁଞ୍ଚାଇବାର ଆବଶ୍ୟକତା ପଡ଼ି ନପାରେ। ଆଜି ସାମ୍ବାଦିକମାନଙ୍କୁ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ସେ କହିଛନ୍ତି, ଗତ କିଛି ଦିନର ସ୍ଥିତିକୁ ଲକ୍ଷ୍ୟ କଲେ, ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି।ଏଣୁ ଦଶମ ଓ ଦ୍ୱାଦଶ ପରୀକ୍ଷା କରିବାକୁ ଆମେ ଚହୁଁଛୁ।ସଠିକ ସମୟରେ ପରୀକ୍ଷା କରାଇବା ଓ ରେଜଲ୍ଟ ବାହାର କରିବା ନେଇ ବିଭାଗ ଆଶାବାଦୀ ଅଛି। ମାଟ୍ରିକର ସମ୍ମେଟିଭ୍ ଆସେସ୍ମେଣ୍ଟ (ଏସ୍ଏ-୧) ପରୀକ୍ଷା ଶେଷ ହେଇଛି । ବିଶେଷ ପରିସ୍ଥିତିରେ ହୁଏତ ଏହି ନିଷ୍ପତ୍ତି ବଦଳିପାରେ। କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ (ଏସ୍ଏ-୧) ପରୀକ୍ଷା ଶେଷ ହୋଇଛି। ଅନ୍ତିମ ଦିନରେ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ (ଏମ୍ପି) ହୋଇଥିବା ବେଳେ ମୋଟ ୧୩ ଜଣ ପରୀକ୍ଷାର୍ଥୀ ଏମ୍ପି ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଏସ୍ଏ-୧ରେ ଯେଉଁ ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ରହିଛନ୍ତି, ସେମାନଙ୍କୁ ଏହି ପରୀକ୍ଷାର ୱେଟେଜ୍ ମାର୍କ ମିଳିବ ନାହିଁ। ଏହି ପରୀକ୍ଷାର୍ଥୀମାନେ ପୂର୍ବରୁ ଦେଇଥିବା ଏଫ୍ଏ-୧, ଏଫ୍ଏ-୨ ସହ ଆଗକୁ ହେବାକୁ ଏଫ୍ଏ-୩, ଏଫ୍ଏ-୪ ଓ ଏସ୍ଏ-୨ରେ ଯେଉଁ ନମ୍ବର ରଖିବେ ସେହି ଅନୁସାରେ ସେମାନଙ୍କର ଦଶମ ଶ୍ରେଣୀର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
ଦଶମ ଶ୍ରେଣୀ ଏସ୍ଏ-୧ ପାଇଁ ୫ ଲକ୍ଷ ୭୧ ହଜାର ୯୩୫ ମାଟ୍ରିକ୍ ପରୀକ୍ଷାର୍ଥୀ ଓ ୩ ହଜାର ୭୩୧ ମଧ୍ୟମା ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏହି ପରୀକ୍ଷା ରାଜ୍ୟର ୩ ହଜାର ୯୩ ଟି କେନ୍ଦ୍ରରେ ହୋଇଥିଲା।