ପୂର୍ଣ୍ଣିମାଙ୍କୁ ଚାକିରି ନେଇ ମନ୍ତ୍ରୀ ନିରବ, ପ୍ରଶିକ୍ଷଣ ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ବର: ଅନ୍ତର୍ଜାତୀୟ ହେପ୍ଟାଥଲନ୍ ତାରକା ପୂର୍ଣ୍ଣିମା ହେମ୍ବ୍ରମଙ୍କ ଆର୍ଥିକ ଦୁରବସ୍ଥା ଏବଂ ଚାକିରି ଖଣ୍ଡିଏ ପାଇଁ ସରକାରୀ ଦପ୍ତର ବୁଲି ବୁଲି ନୟାନ୍ତ ହେବା ନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ବିସ୍ତୃତ ଓ ସାରମର୍ମକ ଖବରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁହଁ ଖୋଲିଛନ୍ତି। ପୂର୍ଣ୍ଣିମା ଏଥିନେଇ ତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଥିବା ଶ୍ରୀ ବେହେରା ସ୍ବୀକାର କରିଛନ୍ତି। ପୂର୍ଣ୍ଣିମାଙ୍କୁ ଓଡ଼ିଶାର ଅନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ା ତାରକାଙ୍କ ଭଳି ରାଜ୍ୟ ସରକାରୀଙ୍କ ଅଧୀନରେ କର୍ମସଂସ୍ଥାନ ଯୋଗାଇ ଦେବା ନେଇ କିନ୍ତୁ ନୂଆ କ୍ରୀଡ଼ା ମନ୍ତ୍ରୀ ଆପାତତଃ ନିରବ ରହିଛନ୍ତି।

ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ବ‌େହେରା କହିଛନ୍ତି ଯେ ପୂର୍ଣ୍ଣିମାଙ୍କ ମାମଲାକୁ ଆମେ ଅନୁଧ୍ୟାନ କରିଛୁ। ବର୍ତମାନ ସେ ରେଳବାଇରେ ଚାକିରି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା କୌଣସି ଖେଳାଳିଙ୍କୁ ରାଜ୍ୟ ସରକାର ସିଧା ଚାକିରି ଦେବାର କୌଣସି ଉଦାହରଣ ନାହିଁ। ତେବେ ପୂର୍ଣ୍ଣିମାଙ୍କୁ ସରକାର ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ। ତାଙ୍କୁ ଉଚ୍ଚତର ପ୍ରଶିକ୍ଷଣ କିମ୍ବା ଅନ୍ୟାନ୍ୟ ସାହାଯ୍ୟ ପାଇଁ ଓଡ଼ିଶା ସରକାର ଆଦୌ ପଛଘୁଞ୍ଚା ଦେବେ ନାହିଁ। ସରକାରଙ୍କ ସ୍ବୀକୃତିପ୍ରାପ୍ତ ଏ, ବି, ସି ବର୍ଗର ଯେଉଁ ଖେଳ ମଧ୍ୟରେ ପୂର୍ଣ୍ଣିମା ଆସୁଥିବେ, ଆମେ ସେହି ଅନୁସାରେ ସହାୟତା ପ୍ରଦାନ କରିବୁ। ହେଲେ ମନ୍ତ୍ରୀ ଭୁଲି ଯାଇଥିଲେ ଯେ ଧାବିକା ଦୂତି ଚାନ୍ଦଙ୍କୁ ରାଜ୍ୟ ସରକାର ଓଏମ୍‌ସିରେ ଚାକିରି ଦେବା ବେଳକୁ ସେ ମଧ୍ୟ ରେଳବାଇରେ କାର୍ଯ୍ୟ କରୁଥିଲେ। ସେହିଭଳି ୨୦୧୦ ମସିହା ରାଜ୍ୟଗୋଷ୍ଠୀ ପଦକ ଜିତିବା ପରେ ପରେ ହିଁ ଭାରୋତ୍ତୋଳକ ରବି କୁମାରଙ୍କୁ ରାଜ୍ୟ ପୁଲିସ ବିଭାଗରେ ଡିଏସ୍‌ପି ଚାକିରି ମିଳି ଯାଇଥିଲା। ପୂର୍ବରୁ ସେ ସେନା ବାହିନୀରେ କାର୍ଯ୍ୟରତ ଥିଲେ। ତେଣୁ ରେଳବାଇ କିମ୍ବା ସେନା ବାହିନୀ କ’ଣ କେନ୍ଦ୍ର ସରକାରଙ୍କ ଅଧୀନ ନୁହେଁ କି ବୋଲି ପ୍ରଶ୍ନ ଉଠିଛି।

ଆଉ ଜଣେ ଆଦିବାସୀ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଜଉନା‌ ମୁର୍ମୁଙ୍କୁ ରାଜ୍ୟ ସରକାର କାହିଁକି ଏ ପର୍ଯ୍ୟନ୍ତ କର୍ମସଂସ୍ଥାନ ଯୋଗାଇ ଦେଇ ନାହାନ୍ତି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ନେଇ ଶ୍ରୀ ବେହେରା କହିଛନ୍ତି ଯେ ଜଉନାଙ୍କ ମାମଲା ମୋ ନଜରକୁ ଆସିନାହିଁ। ଆସି‌ଲେ ପ୍ରଚଳିତ ନୀତି ନିୟମ ଅନୁସାରେ ଆମେ ନିଶ୍ଚିତ ପଦକ୍ଷେପ ନେବୁ। ତାଙ୍କୁ ମଧ୍ୟ ସାହାଯ୍ୟ କରିବୁ। ସୂଚନାଯୋଗ୍ୟ ଯେ ‘ସମ୍ବାଦ’ର ମଙ୍ଗଳବାର (୧୩-୮-୨୦୧୯) ସଂସ୍କରଣରେ ‘ପୂର୍ଣ୍ଣିମାଙ୍କ ବେଳକୁ ବେଫିକର!’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ କ୍ରୀଡ଼ା ଜଗତରେ ଆଲୋଡନ ସୃଷ୍ଟି ହୋଇଥିଲା। ପୂର୍ଣ୍ଣିମାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳିଙ୍କୁ ରାଜ୍ୟ ସରକାର ଚାକିରି ଖଣ୍ଡିଏ ଯୋଗାଇ ନଦେବାକୁ କ୍ରୀଡ଼ାପ୍ରେମୀ ସହଜରେ ଗ୍ରହଣ କରି ନଥିଲେ। କ୍ରୀଡ଼ାମନ୍ତ୍ରୀ ଏଥିନେଇ ପ୍ରଥମେ ଲୋକ ସେବା ଭବନ ଏବଂ ପରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନାଭାଲ ଟାଟା ହକି ଏକାଡେମି ଉଦଘାଟନୀ ଉତ୍ସବରେ ସରକାରଙ୍କ ପକ୍ଷ ରଖିଥିଲେ।

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ପୂର୍ଣ୍ଣିମା ଦୌଡ଼କୁଦ ଦୁନିଆର ସବୁଠୁ କଷ୍ଟକର ଇଭେଣ୍ଟ୍‌ ହେପ୍ଟାଥଲନ୍‌ (୭ଟି ପ୍ରତିଯୋଗିତାର ସମିଶ୍ରଣ)ରେ ଭାଗ ନିଅନ୍ତି। ଏକାଧିକ ଥର ଜାତୀୟ ପଦକ ହାସଲ କରିବା ସହିତ ୨୦୧୫ ଏବଂ ୨୦୧୭ ମସିହାରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର କାଂସ୍ୟ ପଦକ ଜିତିଥିଲେ। ୨୦୧୭ ମସିହାରେ ଅସବଗଟ୍‌ ଏସୀୟ ଇନ୍‌ଡୋର୍‌ ଏବଂ ସାମରିକ କଳା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ ମସିହାର ଜାକର୍ତା-ପାଲେମବାଗ ଏସୀୟ କ୍ରୀଡ଼ାରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ଦୂତି ଚାନ୍ଦଙ୍କ ଭଳି ପୂର୍ଣ୍ଣିମା ମଧ୍ୟ ୧୦୦ ମିଟରରେ ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ହେବା ଗୌରବ ରଖିଛନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଦୁଇ ଡଜନ ପାଖାପାଖି ପଦକ ଜିତି ସାରିଥିବା ପୂର୍ଣ୍ଣିମା ସଂପ୍ରତି ଟୋକିଓ ଅଲିମ୍ପିକ୍ସ ଲାଗି ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି। ହେଲେ ମନପସନ୍ଦର କର୍ମସଂସ୍ଥାନ ମିଳି ନଥିବାରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଏଥିଲାଗି ତାଙ୍କ ଅଭ୍ୟାସ ମଧ୍ୟ ବାଧାପ୍ରାପ୍ତ ହେଉଛି।

ସମ୍ବନ୍ଧିତ ଖବର