ଭୁବନେଶ୍ବର : ଧାନ ସଂଗ୍ରହ ବେଳେ ମିଲ୍ ମାଲିକମାନେ କଟନୀ ଛଟନୀ ଆଳରେ ଚାଷୀଙ୍କଠାରୁ କ୍ବିଣ୍ଟାଲ୍ ପିଛା ୧୦ କିଲୋ ପର୍ଯ୍ୟନ୍ତ ଧାନ ଲୁଟି ନେଉଛନ୍ତି। ଏହା କେବଳ ଆଜି ଦିନରେ ନୁହେଁ, ବର୍ଷ ବର୍ଷ ଧରି ମିଲ୍ ମାଲିକମାନେ ଚାଷୀଙ୍କୁ ଏଭଳି ଶୋଷଣ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର କର୍ମଚାରୀମାନଙ୍କ ସଲାସୁତୁରାରେ ଏଭଳି ବେଆଇନ କାରବାର ଚାଲିଛି। ଏହା ବିରୋଧରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଏ ନେଇ ଚାଷୀଙ୍କ ମଧ୍ୟରେ ବଡ଼ ଧରଣର ଅସନ୍ତୋଷ କୁହୁଳି ଆନ୍ଦୋଳନର ରୂପ ନେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଡ଼ା ଚେତାବନୀ ଜାରି କରିଛନ୍ତି। ଯେଉଁ ମିଲ୍ ମାଲିକମାନେ କଟନୀ ଛଟନୀ କରିବେ ସେମାନଙ୍କୁ ଗିରଫ କରାଯିବ। ଏପରି କି ଏଥିରେ ଜଡ଼ିତ ଜିଲ୍ଲା ଯୋଗାଣ ଓ ପାକ୍ସ ଅଧିକାରୀମାନେ ବାଦ୍ ପଡ଼ିବେନି।
ଆଜି ଏ ନେଇ ଚରମ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଲେ ଯେ ଯେଉଁ ମିଲ୍ ମାଲିକମାନେ ଚାଷୀଙ୍କ ଧାନରୁ କଟନୀ ଛଟନୀ କରୁଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ଏ ନେଇ ଆଜି ସେ ବ୍ୟକ୍ତିଗତ ଭାେବ ସବୁ ଜିଲ୍ଲାପାଳଙ୍କୁ ଟେଲିଫୋନ କରି ନିର୍ଦେଶ ଦେଇଛନ୍ତି। ଯେଉଁ ଯୋଗାଣ ଅଧିକାରୀ ଓ ପାକ୍ସ କର୍ମକର୍ତାମାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ମିଳିବ, ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାଠାରୁ ଆରମ୍ଭ କରି ଜେଲ୍ ପଠାଇବା ପର୍ଯ୍ୟନ୍ତ କଡ଼ା ପଦେକ୍ଷପ ନିଆଯିବ। ଜିଲ୍ଲାସ୍ତରରେ ଧାନ ସଂଗ୍ରହ କାର୍ଯ୍ୟ କିପରି ଚାଲିଛି, ସେ ନେଇ ଅନୁଧ୍ୟାନ କରାଯିବ। ବିଭାଗୀୟ ଅଧିକାରୀମାେନ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିବେ। ସେହି ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତିି, ମଣ୍ଡିରେ ଧାନ ନେଇ ଆସିଥିବା ଚାଷୀଙ୍କଠାରୁ ୨୪ ଘଣ୍ଟା ମଧ୍ୟରେ ଧାନ କିଣାଯିବ। ୨୪ ଘଣ୍ଟାରୁ ଅଧିକ ସମୟ ଧରି ମଣ୍ଡିରେ ଧାନ ପଡ଼ିରହିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଚାଷୀମାନଙ୍କ ଧାନ ମଣ୍ଡିରେ ଅନ୍ୟୂନ ୪/୫ ଦିନ ଧରି ପଡ଼ି ରହୁଥିବା ନେଇ ଅଭିଯୋଗ ହେଉଥିଲା। ଚାଷୀଙ୍କୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଧାନ ସଂଗ୍ରହ ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଯୋଗେ ପଠାଯିବ। ବିଭାଗୀୟ ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲାରୁ ପ୍ରାୟ ୩.୯୦ ଲକ୍ଷ ମେଟ୍ରକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଏଥିପାଇଁ ମୋଟ ୬୮୪ କୋଟି ଚାଷୀଙ୍କ ବ୍ୟାଙ୍କକୁ ଯାଇଥିବା ବେଳେ ଚାଷୀ ପାଇସାରିଛନ୍ତି ୪୩୫ କୋଟି। ଗତବର୍ଷ ଏହି ସମୟ ବେଳକୁ ପ୍ରାୟ ସମାନ ପରିମାଣର ଧାନ ସଂଗ୍ରହ ହୋଇଥିଲା।
ମଣ୍ଡି ଜଗିବାକୁ ବିଜେପି ଯେଉଁ ଘୋଷଣା କରିଛି ତାକୁ ମନ୍ତ୍ରୀ ସ୍ବାଗତ କରିଛନ୍ତି। କଟନୀ ଛଟନୀ ଆଳରେ ମିଲ୍ ମାଲିକମାନେ ୧୦ରୁ ୧୨ କିଲୋ ଧାନ ଲୁଟି ନେଉଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ନିର୍ଦିଷ୍ଟ ତଥ୍ୟ ଦେବାକୁ କହିଛନ୍ତି। ସଦ୍ୟ ୫ଟି ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନ ଭଳି ଆଗାମୀ ସାଧାରଣ ନିର୍ବାଚନରେ ଚାଷୀ ପ୍ରସଙ୍ଗ ମୁଣ୍ଡ ଟେକିବାର ଆଶଙ୍କା ଅଧିକ। ଏହାକୁ ନେଇ ବିରୋଧୀ ରାଜନୈତିକ ଦଳମାେନ ରାଜ୍ୟ ସରକାରଙ୍କ ସହିତ ବଳ କଷାକଷି ଆରମ୍ଭ କରିଦେଇଛନ୍ତି।