ଭିତରେ ମନ୍ତ୍ରୀ, ବାହାରେ ତାଲା; କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲେ ବିଜେପି-କଂଗ୍ରେସ କର୍ମୀ

ଭୁବନେଶ୍ବର: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଗତକାଲି ବିଜେଡି କର୍ମୀ ମାଡ ମାରିବା ଘଟଣାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନ୍ଦ ପାଳନ କରୁଥିଲେ ବିରୋଧୀ । ତେବେ, ବନ୍ଦ ପାଳନ ଭିତରେ ଆଜି ମନ୍ତ୍ରୀ ଟୁକୁନି ସାହୁ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଯାଇଥିବାବେଳେ ହଟହଟା ହୋଇଛନ୍ତି । ଏଥିସହ ବିଜେପି, କଂଗ୍ରେସ କର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବିଜେଡି କର୍ମୀ ।

ସମୟ ପ୍ରାୟ ସକାଳ ୮ଟା, ସ୍ଥାନ ଥିଲା କୁଚିଣ୍ଡାର ପୂର୍ତ୍ତ ବିଭାଗ ଡାକବଙ୍ଗଳା । ବିରୋଧୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ କୁଚିଣ୍ଡା ବନ୍ଦ ପାଳନ ବେଳେ ଡାକବଙ୍ଗଳାରେ ମନ୍ତ୍ରୀ ଟୁକୁନି ସାହୁ ଥିବା ଖବର ପାଇ ତାତି ଯାଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ଦୁଇ ଦଳର ବହୁ କର୍ମୀ ଡାକବଙ୍ଗଳା ନିକଟରେ ପହଞ୍ଚି ମନ୍ତ୍ରୀଙ୍କୁ ତାଲା ପକାଇ ଦେଇଥିଲେ । ଆଉ ଡାକବଙ୍ଗଳା ଭିତରେ ଦୀର୍ଘ ୪ଘଣ୍ଟା କାଳ ଫସି ରହିଥିଲେ ମନ୍ତ୍ରୀ ଟୁକୁନି ସାହୁ ।

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧୀ ଡାକବଙ୍ଗଳାରେ ତାଲା ପକାଇ ଦେବା ଖବର ସୂଚନା ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ପହଞ୍ଚିଥିଲେ । ମନ୍ତ୍ରୀଙ୍କୁ ତାଲା ପକାଇବାକୁ ବିରୋଧ କରି ବିଜେଡି କର୍ମୀ ଧାରଣାସ୍ଥଳକୁ ଧସେଇ ପଶିଥିଲେ। ତାପରେ ତିନି ଦଳର କର୍ମୀଙ୍କ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ମାଡ କରିବା ସହ ବିରୋଧୀ ଦଳର ଶତାଧିକ କର୍ମୀଙ୍କୁ ଉଠାଇ ନେଇଥିଲା । ତାପରେ ଡାକବଙ୍ଗଳାରୁ ବାହାରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ତେବେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।

ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ବିଜେପି କର୍ମୀଙ୍କ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି । କଳାହାଣ୍ଡିର କୋକସରା ଆଉ ସୋରୋରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏବଂ ମମିତାଙ୍କୁ ନ୍ୟାୟ ପ୍ରଦାନ ନେଇ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଛି । ହେଲେ ସରକାରୀ ସ୍ତରରେ ଏହାର କୈାଣସି ପ୍ରଭାବ ଦେଖିବାକୁ ମିଳୁନଥିବାରୁ ଜିଲ୍ଲାରୁ ଜିଲ୍ଲାକୁ ଏହି ଆନ୍ଦୋଳନ ବ୍ୟାପିଛି ।

ସମ୍ବନ୍ଧିତ ଖବର