ମନ୍ତ୍ରୀ ଟୁକୁନୀ ସାହୁ ୪ ଘଣ୍ଟା ଅଟକ

କୁଚିଣ୍ଡା ବନ୍ଦ ବେଳେ ଉତ୍ତେଜନା, ପୁଲିସର ଲାଠି ଚାଳନା

ଧାରଣାରେ ୩ ପୂର୍ବ ବିଧାୟକ, ୩୦ରୁ ଅଧିକ ଗିରଫ
ବନ୍ଦ ବେଳେ କଂଗ୍ରେସ-ବିଜେପି ଏକାଠି

କୁଚିଣ୍ଡା : ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବୁଧବାର ଦିନ ବିରୋଧୀ ରାଜନୈତିକ ଦଳ (ବିଜେପି ଓ କଂଗ୍ରେସ) ନେତା ଓ କର୍ମୀ ପାଖାପାଖି ୪ ଘଣ୍ଟା ଧରି ସ୍ଥାନୀୟ ଡାକବଙ୍ଗଳାରେ ଅଟକ ରଖିଦେଲେ। ଡାକବଙ୍ଗଳାରୁ ମନ୍ତ୍ରୀଙ୍କୁ ମୁକୁଳାଇ ନେବା ସମୟରେ ଶାସକ ଓ ବିରୋଧୀକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାଳନା କରିଥିଲା। କେବଳ ସେତିକି ନୁହେଁ, ଏହି ଘଟଣାକୁ କେନ୍ଦ୍ରକରି ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। କୁଚିଣ୍ଡାର ଏହି ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ସରକାରଙ୍କ ବିରୋଧରେ ଉଭୟ ରାଜନୈତିକ ଦଳ ଏକାଠି ରାସ୍ତାକୁ ଓହ୍ଲାଇବାରୁ ରାଜନୈତିକ ମହଲ ଯେତିକି ଗୁରୁତ୍ବ ଦେଉଛନ୍ତି, ପୁଲିସ ଦୀର୍ଘ ଚାରିଘଣ୍ଟା ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଉଦ୍ଧାର କରିନପାରିବା କଥାଟି ସେମାନଙ୍କୁ ଆହୁରି ଆଚମ୍ବିତ କରିଛି। ଉଭୟ ଦଳ କର୍ମୀ ଏତେ ସଂଖ୍ୟାରେ ଆସି ଡାକବଙ୍ଗଳା ଘେରାଉ କରିଦେଲେ, ଅଥଚ ପୁଲିସ ଆଗୁଆ ଏ ସଂପର୍କରେ ଜାଣିପାରିଲାନି କେମିତି? ଗୁଇନ୍ଦା କି କାମରେ ଲାଗିଥିଲା? ଏଣୁ ଏହି ଘଟଣାକୁ କେହି ହାଲକା ଭାବେ ଗ୍ରହଣ କରିପାରୁନାହାନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଚିଣ୍ଡାରୁ ସମ୍ବଲପୁର ଜିଲ୍ଲା ପାଇଁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେଡି କର୍ମୀମାନେ ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବୁଧବାର ଦିନ ୧୨ ଘଣ୍ଟିଆ ‘କୁଚିଣ୍ଡା ବନ୍ଦ’ ଡାକରା ଦିଆଯାଇଥିଲା। ବନ୍ଦ ପାଳନକୁ ସଫଳ କରିବା ପାଇଁ ସକାଳ ୬ଟାରୁ ପିକେଟିଂ ଆରମ୍ଭ କରିଥିଲେ। ତେବେ କୁଚିଣ୍ଡାକୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଆସିଥିଲେ ମନ୍ତ୍ରୀ ଟୁକୁନୀ ସାହୁ। ସେ କୁଚିଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରହୁଥିବା ଖବର ପାଇ ବିଜେପିର ୨ ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ବୃନ୍ଦାବନ ମାଝୀ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ସମେତ ମହେଶ ରାୟ, ସଞ୍ଜୟ ମହାନନ୍ଦ, ସଞ୍ଜିତ ଶର୍ମା, ଅଖିଳ ପ୍ରତାପ ସିଂ, ରାଣା ପ୍ରତାପ ସିଂ ନେତୃତ୍ବରେ ଉଭୟ ଦଳର କର୍ମୀମାନେ ଏକ ଶୋଭ‌ାଯାତ୍ରାରେ ଯାଇ ଡାକବଙ୍ଗଳାରେ ପହଞ୍ଚିବା ସହିତ ଭିତରକୁ ଧସେଇ ପଶିଥିଲେ। ସେଠାରେ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ବାଧା ଦେଇପାରିନଥିଲେ। ଏହାର ସୁଯୋଗରେ ଉଭୟ ଦଳର ନେତା ଓ କର୍ମୀ ଡାକବଙ୍ଗଳା ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ।

ଏହି ଖବର ପାଇ ପହଞ୍ଚିଥିଲା ପୁଲିସ।। ଡାକବଙ୍ଗଳା ପାଚେରି ଭିତରୁ ବିରୋଧୀ ଦଳର କର୍ମୀଙ୍କୁ ବାହାର କରିଥିଲେ ହେଁ ମନ୍ତ୍ରୀଙ୍କୁ କିନ୍ତୁ ଉଦ୍ଧାର କରିପାରିନଥିଲା। ଓଲଟା ସୁରକ୍ଷା ପାଇଁ ନିଜେ ଗେଟରେ ତାଲା ପକାଇ ଦେଇଥିଲା। ଏହାପରେ ବି କଂଗ୍ରେସ ଓ ବିଜେପି କର୍ମୀମାନେ ଡାକବଙ୍ଗଳା ଗେଟ୍‌ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ଲାଭ ହୋଇନଥିଲା। ପୁଲିସ ନିରୁପାୟ ହୋଇଯାଇଥିଲା। ମଧ୍ୟାହ୍ନରେ ୧୨ଟାରେ କୁଚିଣ୍ଡା ବିଜେଡି ସଭାପତି ସଞ୍ଜୟ ବେହେରା, ଛାତ୍ର ସଭାପତି ଅଭିଳାଷ ଅଗ୍ରଓ୍ଵାଲ, ଦିନବନ୍ଧୁ ଅଗ୍ରଓ୍ବାଲ, ଅଜିତ ମହାପାତ୍ର, ବିଜୁ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ‘ବିଜେଡି ଜିନ୍ଦାବାଦ’ ନାରା ଦେଇ ସେଠାରେ ପହଞ୍ଚିଥିଲେ। ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପର ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ପୁଲିସ ଉଭୟ ପକ୍ଷଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲା। ପରେ ଧାରଣାରେ ବସିଥିବା କଂଗ୍ରେସ ଓ ବିଜେପି ଆନ୍ଦୋଳନକାରୀଙ୍କୁ ସେଠାରୁ ଭିଡ଼ି ଭିଡ଼ି ବସ୍‌ ଭିତରକୁ ଉଠାଇ ନେଇଥିଲା। ପୁଲିସ ୩୫ ଜଣ ନେତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦ କରିବାରୁ କଂଗ୍ରେସ ଓ ବିଜେପି କର୍ମୀମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ସେମାନେ ଯିବାପରେ ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରାୟ ୧୨ଟା ୪୫ରେ ଡାକବଂଗଳାରୁ ପୁଲିସ ଓ ବିଜେଡି କର୍ମୀଙ୍କ ସୁରକ୍ଷା ଘେରରେ ବାହାରି ବାଉରୀଗୋଡ଼ା ସ୍କୁଲକୁ ଯାଇ ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବାଣ୍ଟିଥିଲେ।

ଅନ୍ୟପକ୍ଷ‌ରେ, ବିଜେପି-କଂଗ୍ରେସ ପକ୍ଷରୁ ଦୋକାନ ବଜାର ବନ୍ଦ କରାଯିବା ସମୟରେ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ବସଷ୍ଟାଣ୍ଡ ଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟବସାୟୀମାନେ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିଥିଲେ। ଅପରାହ୍ନ ୧ଟା ପରେ ଦୋକାନ ବଜାର ଖୋଲିଥିଲା। ରାସ୍ତା ଅବରୋଧ ହଟିବା ପରେ ସଂଧ୍ୟାରେ ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର