ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାପରେ ଏହି ଫଟୋ ଭାଇରାଲ ହୋଇଯାଇଥିଲା। ଯାହାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିଜୟ ଗୋଏଲଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହି ଫଟୋକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍‌ ଟୁଇଟ କରି ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ ନିଜେ ପୂଜା କରୁଥିବା ସମୟର ଫଟୋକୁ ପୋଷ୍ଟ କରିଥିଲେ । ତେବେ ଏହି ଫଟୋ ଗତବର୍ଷ ଭୁବନେଶ୍ୱର ଆସିଥିବା ବେଳେ ଗୋଏଲ୍‌ ଲିଙ୍ଗରାଜ ମନ୍ଦିର ଦର୍ଶନ ସମୟରେ ଉଠାଇଥିଲେ ବୋଲି କୁହାଯାଇଛି।

ତେବେ ଏହି ଘଟଣାକୁ ମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବା ପରେ ଟୁଇଟର ଆକାଉଣ୍ଟରୁ ଏହି ଟୁଇଟ ହଟାଇ ଦିଆଯିବା ସହିତ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଗୋଏଲ କହିଛନ୍ତି, ‘ଭୁଲରେ ମୁଁ ଏହି ଫଟୋଗୁଡ଼ିକ ମୋର ଟୁଇଟରରେ ପୋଷ୍ଟ କରି ଦେଇଥିଲି।’