‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସ୍’କୁ ମନ୍ତ୍ରୀଙ୍କ ପରିଦର୍ଶନ

ଭୁବନେଶ୍ବର : ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ(ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ)କୁ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରିଦର୍ଶନ କରିଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅନୁରାଗ କୁମାର ଓ ରେଜିଷ୍ଟ୍ରାର୍ ରାଜାରାଜନ୍ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପ୍ରତିଷ୍ଠାନର ବହୁ ଅଧ୍ୟାପକ ଓ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା ସେଣ୍ଟର୍‌ ଫର୍ ନାନୋ ସାଇନ୍‌ସ୍ ଓ ଇଞ୍ଜିନିୟରିଂ, ସୁପର୍ କମ୍ପ୍ୟୁଟର୍ ଏଜୁକେସନ୍ ଓ ରିସୋର୍ସ ସେଣ୍ଟର୍‌ ଏବଂ ସୋସାଇଟି ଫର୍ ଇନୋଭେସନ୍ ମଧ୍ୟ ପରିଦର୍ଶନ କରିଥିଲେ। ଏହା ବାଦ୍ କର୍କଟ ରୋଗ ଚିକିତ୍ସାରେ ନାନୋ ଟେକ୍ନୋଲୋଜିର ଭୂମିକା, ହେପାଟାଇଟ୍‌ସ୍‌ ବି ନିରାକରଣ ପାଇଁ ଟୀକା ପ୍ରସ୍ତୁତିରେ ଦେଶୀୟ ସଂପୃକ୍ତି, ଅତ୍ୟାଧୁନିକ ଜଳ ବିଶୋଧନ ପଦ୍ଧତ୍ତି, ମଧୁମେହ ରୋଗ ପ୍ରତିକାର ଓ ତଦାରଖ ପ୍ରକ୍ରିୟା ସମ୍ପର୍କରେ ପ୍ରତିଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ଅବଗତ ହୋଇଥିଲେ। ସେ କହିଥିଲେ, ଓଡ଼ିଶାରେ ବିଜ୍ଞାନ ଶିକ୍ଷା, ପ୍ରଦର୍ଶନୀ ଆୟୋଜନ ସହିତ ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ବହୁବିଧ ଉଦ୍ୟମ କରାଯିବ। ରାଜ୍ୟ ବିଜ୍ଞାନ ଏକାଡେମି ଓ ଗଣିତ ପ୍ରତିଷ୍ଠାନ ଅଭିବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର