ରାଉରକେଲା : ଆସନ୍ତା ଜାନୁଆରି ୧୩ ତାରିଖରୁ ଭୁବନେଶ୍ବର ସମେତ ରାଉରକେଲା ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ ଆରମ୍ଭ ହେବ। ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ ରାଉରକେଲାରେ ହିଁ ଖେଳାଯିବ। ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇସାରିଲାଣି। କେବଳ ସିଟ୍ ବ୍ୟବସ୍ଥା ସମେତ ଶେଷସ୍ପର୍ଶ ଦେବା ବାକି ଅଛି। ଅଳ୍ପଦିନ ଭିତରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା।
ରବିବାର ଦିନ ପୂର୍ବାହ୍ନରେ କ୍ରୀଡ଼ାମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ହକି ବିଶ୍ବକପ୍(ରାଉରକେଲା) ଓଏସ୍ଡି ଭୂପିନ୍ଦର ସିଂହ ପୁନିଆଙ୍କୁ ନେଇ ଗଠିତ ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚିଥିଲେ। ପ୍ରତିନିଧି ଦଳ ନିର୍ମାଣାଧୀନ ଷ୍ଟାଡିୟମ ଅଞ୍ଚଳରେ ପହଞ୍ଚି ପରିଦର୍ଶନ କରିଥିଲେ। ଏହାସହ ଖେଳାଳିଙ୍କ ପାଇଁ ନିର୍ମାଣ ଚାଳିଥିବା ଡ୍ରେସିଂ ରୁମ୍, ଚେଞ୍ଜିଂ ରୁମ୍, ସ୍ବିମିଂ ପୁଲ୍ ଆଦି ବୁଲି ଦେଖିଥିଲେ। ପରେ ରାଉରକେଲା ଏୟାରପୋର୍ଟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ଷ୍ଟାଡିୟମ, ସିଟ୍ ବ୍ୟବସ୍ଥା, ଖେଳ ପଡ଼ିଆ ଆଦିର ଅଗ୍ରଗତି ସମୀକ୍ଷା କରିଥିଲେ। ସ୍ଥିତି ସମୀକ୍ଷା କରିବାପରେ ମନ୍ତ୍ରୀ ଶ୍ରୀବେହେରା କହିଥିଲେ, କ୍ରମାଗତ ଦ୍ବିତୀୟଥର ପାଇଁ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆୟୋଜନ କରୁଛି। ପୂର୍ବରୁ କେବଳ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଥିବା ବେଳେ ଏଥର ରାଉରକେଲାକୁ ଦ୍ବିତୀୟ ଭେନ୍ୟୁଭାବେ ଚୟନ କରାଯାଇଛି। ଏଥିପାଇଁ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି; ଯାହାକି ଖୁବ୍ଶୀଘ୍ର ସମ୍ପନ୍ନ ହେବ ବୋଲି କହିଥିଲେ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ କହିଥିଲେ, ଆମେ କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲୁ, ଯେ ହକି ଗଡ଼ରେ ହକି ବିଶ୍ବକପ୍ ଆୟୋଜନ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରାଉରକେଲା ଓ ସମଗ୍ର ଜିଲ୍ଲାବାସୀ ଋଣୀ।
ପରିଦର୍ଶନ ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି, ଏସ୍ପି ମୁକେଶ କୁମାର ଭାମୁ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/rkl-1.jpg)
