ସଚିବଙ୍କ ଉପସ୍ଥିତିରେ ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ପ୍ରତିଶ୍ରୁତି କେତେ ପୂରଣ ହେଲା ଅନୁଧ୍ୟାନ କରିବେ ନବୀନ
ମେ’ ୧୫ରୁ ବିଭାଗଵାରି ସମୀକ୍ଷା
ମେ’୨୯ରେ ରାଜ୍ୟବାସୀଙ୍କୁ ହିସାବ ଦେବେ

ଭୁବନେଶ୍ବର : ଆସନ୍ତା ମେ’ ୨୯ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରୁଛି। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ମେ’ ୧୫ ତାରିଖରୁ ବିଭାଗଵାରି କାର୍ଯ୍ୟ ସମୀକ୍ଷା କରିବେ। ୨୫ ତାରିଖ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ। ଏଥିରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ ଯେ ସରକାର ନିର୍ବାଚନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେ ମଧ୍ୟରୁ କେତେ ପୂରଣ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସମସ୍ତ ସଭ୍ୟଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ସଚିବ ମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ। ଏହାସହିତ ‘୫ଟି’ ଓ ‘ମୋ ସରକାରଟ କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ ଏହା କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ।

ସରକାରଙ୍କ ପକ୍ଷରୁ କୁହାଯାଇଛି, “ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ ‘ଏହାକୁ ଅକ୍ଷରେ ଅଷରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ତେଣୁ ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଆମେ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେବ। ଏହା ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକାଶଥାଉକି, ୨୦୧୯ ମେ’୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାଙ୍କ ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ। ଆଗାମୀ ମେ’ ୨୯ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ। ୨୦୧୪ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର