ମାଟ୍ରିକରେ ୩୧ ସ୍କୁଲରେ ଶୂନ ପରୀକ୍ଷା ଫଳ, ସ୍କୁଲ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ

ଭୁବନେଶ୍ୱର : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟର ୩୧ଟି ଉଚ୍ଚ ବିଦ୍ୟାଳୟର ଜଣେ ବି କେହି ଛାତ୍ରଛାତ୍ରୀ ପାସ୍‌ କରିନାହାନ୍ତି। ଏହି ସ୍କୁଲଗୁଡ଼ିକ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବେ। ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ଯେ ଆଲୋଚନା ବେଳେ ସ୍କୁଲର ବିଭିନ୍ନ ବିଷୟରେ ତର୍ଜମା କରାଯିବ। କେତେ ପିଲା ପରୀକ୍ଷା ଦେଇଥିଲେ? କେତେ ପାସ୍‌ କଲେ? କ’ଣ ପାଇଁ ପରୀକ୍ଷା ଫଳ ଖରାପ ହେଲା ସେନେଇ ବିଚାର ବିମର୍ଶ କରାଯିବ। ଏହାପରେ ଯାଇ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରାଯିବ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ହୋଇଛି। ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧,୨୭୯ ଛାତ୍ରଛାତ୍ରୀଙ୍କୁ ‘ଏ-୧’ ଗ୍ରେଡ୍ , ୮,୪୫୮ଜଣ ‘ଏ-୨’ ଗ୍ରେଡ୍‌, ୧୮,୧୮୮ଜଣ ‘ବି-୧’ ଗ୍ରେଡ୍‌, ୩୧,୩୨୮ଜଣ ‘ବି-୨’ ଗ୍ରେଡ୍‌, ୪୯,୧୫୩ ଜଣ ‘ସି’ ଗ୍ରେଡ୍‌, ୮୯,୫୫୬ ଜଣ ‘ଡି’ ଗ୍ରେଡ୍‌ ଓ ୨,୨୩,୧୯୫ଜଣ ଛାତ୍ରଛାତ୍ରୀଙ୍କୁ ‘ଇ’ ଗ୍ରେଡ୍‌ ମିଳିଛି।

ସମ୍ବନ୍ଧିତ ଖବର