ମନ୍ତ୍ରୀସ୍ତରୀୟ କମିଟିର କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ : ସରକାରଙ୍କୁ ଷ୍ଟୁଡିଓର ପୁନରୁଦ୍ଧାର ଯୋଜନା ଦିଆଯିବ

ଭୁବନେଶ୍ୱର : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିିଗମର ସର୍ବାଙ୍ଗୀନ ଉନ୍ନତି ନିିମନ୍ତେ ଅର୍ଥ, ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଆଜି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଛନ୍ତିି। ଏହି ଅବସରରେ ଷ୍ଟୁଡ଼ିଓର ପୁନରୁଦ୍ଧାର ଓ ପୁନର୍ନିମାଣ ନିମନ୍ତେ ଏକ ସମୟଭିତ୍ତିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏହି ଯୋଜନାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଏକଦା ପୂର୍ବ ଭାରତରେ ସବୁଠାରୁ ଉତ୍ତମ ମାନର କଳିଙ୍ଗ ଷ୍ଟୁଡ଼ିଓ ଭାବେ ଖ୍ୟାତି ଅର୍ଜନ କରିଥିବା ଷ୍ଟୁଡିଓର ପୁନରୁଦ୍ଧାର କରାଯିବ। ଏହାକୁ ଭାରତବର୍ଷରେ ଯେ କୌଣସି ଉନ୍ନତ ମାନର ଷ୍ଟୁଡ଼ିଓ ସମତୁଲ କରାଯିବ। ଏହା ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ସମେତ ଅନ୍ୟ ଭାଷାର ଚଳଚ୍ଚିତ୍ର ମଧ୍ୟ ସୁଟିଂ କରାଯାଇପାରିବ। ଫଳରେ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ଉନ୍ନତି ସାଧିତ ହୋଇପାରିବ। ଏଥିନିିମନ୍ତେ ସମସ୍ତ ପ୍ରକାର ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯିବ। ଏହା ଓଡ଼ିଆ ସିନେମାର ପ୍ରଯୋଜକମାନଙ୍କୁ ସୁବିଧାରେ ଓ ସହଜରେ ସିନେମା ପ୍ରସ୍ତୁତ କରିବାରେ ସହାୟକ ହେବ।

ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ନିିମନ୍ତେ ଏକ ଫିଲ୍ମ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟ ନିିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ ନିିୟମିତ ଭାବେ ସମୀକ୍ଷା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହି କମିଟିର ଅନ୍ୟତମ ସଦସ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପୁରୁଣା ସିନେମା ହଲ୍‌ଗୁଡ଼ିକର ପୁନରୁଦ୍ଧାର କରାଗଲେ, ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳର ଦର୍ଶକମାନେ ଓଡ଼ିଆ ସିନେମା ଦେଖିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମନ୍ତ୍ରୀସ୍ତରୀୟ କମିଟି ସମ୍ମୁଖରେ ନିିଗମର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଚଳଚ୍ଚିତ୍ର ଉନ୍ନୟନ ନିିଗମ ଦେଇଥିବା ଋଣକୁ ଓଟିଏସ୍‌ ମାଧ୍ୟମରେ ଫଇସଲା, ସବ୍‌ସିଡି ଓ ସରଚାର୍ଜ ବ୍ୟବସ୍ଥା ପ୍ରଚଳନ ସହିତ ପରିଚାଳନା ପାଣ୍ଠିର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କଳିଙ୍ଗ ଷ୍ଟୁଡିଓ ପୁନର୍ନିମାଣ ନିିମନ୍ତେ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ନିିଗମର ଅଧ୍ୟକ୍ଷ ମନ୍ତ୍ରୀସ୍ତରୀୟ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ। ବର୍ଷତମାମ ଯେପରି ଷ୍ଟୁଡ଼ିଓରେ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକ ସୁଟିଂ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ଶ୍ରୀ ତ୍ରିପାଠୀ ବର୍ଣ୍ଣନା କରିଥିଲେ। ମନ୍ତ୍ରୀସ୍ତରୀୟ କମିଟିଙ୍କ ପରିଦର୍ଶନ ଅବସରରେ ଚଳଚ୍ଚିତ୍ର ଉନ୍ନୟନ ନିିଗମର ପରିଚାଳନା ନିର୍ଦେର୍ଶକ, ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ(କୋଠାବାଡ଼ି)ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର