ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ନେଇ ବିଧାନସଭାରେ କଥା କଟାକଟି

ଭୁବନେଶ୍ବର : ବିଧାନସଭାରେ ୧୫ରୁ ଅଧିକ ମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ଅମର ଶତପଥୀଙ୍କ ମଧ୍ୟରେ ଶୂନ୍ୟକାଳରେ କଥା କଟାକଟି ହୋଇଥିଲା। ଶ୍ରୀ ମାଝୀ କହିଥିଲେ, ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବାକୁ ଯାଇଥିବାରୁ ଗୃହରେ ମାତ୍ର ୫ଜଣ ମନ୍ତ୍ରୀ ଅଛନ୍ତି। ୨୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୫ରୁ ଅଧିକ ମନ୍ତ୍ରୀ ବିଧାନସଭାରେ ଅନୁପସ୍ଥିତ ଅଛନ୍ତି। ସେମାନେ ପଦ୍ମପୁରରେ ନିୟୋଜିତ ହେବା ଦ୍ବାରା ସେଠାରେ ନିୟମ ଅନୁଯାୟୀ କାମ ହେଉନି। ପୁଲିସ ବିଜେପି କର୍ମୀଙ୍କ ଅଭିଯୋଗ ରଖୁନି, ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନି। ବିଧାୟକ ଓ ମନ୍ତ୍ରୀ ଯାଉଥିବାରୁ ପଦ୍ମପୁରରେ ପ୍ରତିହିଂସା ପରିସ୍ଥିତି ସୃଷ୍ଟି ହେଉଛି।

ଏହାପରେ ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ, ବିଧାନସଭାରେ ବିରୋଧୀ ଦଳ ନେତାଙ୍କର ବି ସାମୂହିକ ଦାୟିତ୍ବ ଅଛି। ହେଲେ ସେ କାହିଁକି ଗୃହକୁ ଆସୁନାହାନ୍ତି? ବିଧାନସଭାରେ ଜଣେ ମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କୁ ଅଧିକୃତ କରିବାର ନିୟମ ଅଛି? ହେଲେ ବିରୋଧୀ ଦଳ ନେତା କ’ଣ ଆପଣଙ୍କୁ ଅଧିକୃତ କରିଛନ୍ତି?

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ବିଧାନସଭାରେ ମନ୍ତ୍ରୀ ନାହାନ୍ତି, କା’ ମନ୍ତ୍ରୀ ଉତ୍ତର ଦେଉଛନ୍ତି। ସେମାନେ ଜାଣିପାରୁନାହାନ୍ତି କ’ଣ ଉତ୍ତର ଦେବେ। ବିଜେଡି ଓ ବିଜେପିର ବିଧାୟକମାନେ ଆସୁନାହାନ୍ତି। କଂଗ୍ରେସ ଦଳର କିନ୍ତୁ ପ୍ରତିଦିନ ୭୦ରୁ ୮୦% ଉପସ୍ଥାନ ରହୁଛି। ପ୍ରତିଦିନ ୭-୮ଜଣ ବିଧାୟକ ଆସୁଛନ୍ତି। ପଦ୍ମପୁରରେ ହିଂସା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ସବୁ ମନ୍ତ୍ରୀଙ୍କୁ ବିଧାନସଭାକୁ ଡାକନ୍ତୁ।

ସମ୍ବନ୍ଧିତ ଖବର