ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ପରିବର୍ତ୍ତନ ସମ୍ଭାବନା : ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ଆସିଲା ନିର୍ଦ୍ଦେଶ

ଭୁବନେଶ୍ବର: ଜୁନ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି। ଏହା ପୂର୍ବରୁ  ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହୋଇଥିଲା । ଏଥିସହ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଭଳି ସମୟରେ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ମନ୍ତ୍ରିମଣ୍ଡଳ ଗଢ଼ିବେ ବୋଲି ସୂଚନା ରହିଛି। ଖବର ଅନୁସାରେ, ଆସନ୍ତାକାଲି ପୂର୍ବାହ୍ଣ ୧୧.୪୫ ମିନିଟରେ ସମୟରେ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି।  ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଛନ୍ତି।  ଏହାଛଡ଼ା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବି ଇସ୍ତଫା ଦେବାକୁ ନିର୍ଦେଶ ଦିଆଯାଇଛି। ଏଣେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଥିବାର ଖବର ମିଳିଛି।

Twitter

ଏପ୍ରିଲ୍ ମାସରେ  ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ। ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ। ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲେ। ବିଶେଷ କରି ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ସୁପ୍ରିମୋ  ନବୀନ ପଟ୍ଟନାୟକ ଓ ଦଳର ମଙ୍ଗୁଆଳମାନଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ନୂଆମୁହଁଙ୍କୁ ସାମିଲ କରାଯିବ ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି। କେଉଁ ଜିଲ୍ଲାରୁ କିଏ ବାଦ୍ ପଡ଼ିବେ ଓ କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାହା ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି।

ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାରୁ ଦଳ ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍‌ କରୁଛି। ତେଣୁ ଦଳର ସଂଗଠନ ଯେଉଁ ସବୁ ଜିଲ୍ଲାରେ ଦୁର୍ବଳ ଅଛି ସେଠାରେ ଭଲ ପ୍ରଦର୍ଶନ କରିବାକୁ ଦଳର ଯୁବ ‌ଓ ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯିବ। ଏଥିପାଇଁ ଦଳ କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇପାରେ। ଏହାବାଦ୍‌ ଆଦୌ ଭଲ ପ୍ରଦର୍ଶନ ନଥିବା ମନ୍ତ୍ରୀମାନଙ୍କୁ ବି ବିଦା କରାଯିବ। ଯେଉଁଠି ଦଳର ସ୍ଥିତି ଅପେକ୍ଷା‌କୃତ ଭଲ ନାହିଁ ଉକ୍ତ ଅଞ୍ଚଳର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ପରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ସେହି ସମାନ କୌଶଳ ଏବେ ପୁଣି ଲାଗୁ ହେବ ବୋଲି କୁହାଯାଉଛି। ୨୦୧୯ରେ ବିଜେଡିର ଏହି କୌଶଳ ସଫଳ ହୋଇଥିଲା, ଆଉ ବିଜେଡି ୧୦୦ରୁ ଅଧିକ ସିଟ୍ ଦଖଲ କରିଥିଲା। ହେଲେ ୨୦୧୯ରେ ୨୦୧୨ ଭଳି ଏକତରଫା ସାଂସଦ ସିଟ୍ ହାସଲ କରିବାରେ ବିଫଳ ହୋଇଥିବା ବିଜେଡି ଏଥର ବିଧାୟକ ସହ ଅଧିକ ସାଂସଦ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଯେଉଁଥିପାଇଁ ପ୍ରତି ଜିଲ୍ଲା, ନିର୍ବାଚନମଣ୍ଡଳୀ, ସଂସଦୀୟ କ୍ଷେତ୍ରରେ ଦଳର ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର