ମନ୍ତ୍ରୀମାନଙ୍କୁ ମିଳିଲା ସଚିବାଳୟ ପ୍ରକୋଷ୍ଠ

ଭୁବନେଶ୍ବର : ମେ’ ୨୯ ତାରିଖରେ ନବୀନ ସରକାରଙ୍କ ପଞ୍ଚମ ପାଳି ଶାସନ ଆରମ୍ଭ ହୋଇଛି। ସେହିଦିନ ଶପଥପାଠ କରିବା ପରଠାରୁ ପ୍ରଥମ ଥର ହେଉ କିମ୍ବା ଦୀର୍ଘଦିନ ବ୍ୟବଧାନରେ ପୁନର୍ବାର ହୋଇଥିବା ମନ୍ତ୍ରୀମାନେ ସଚିବାଳୟ ପରିସରରେ ନିଜ ପାଇଁ ପ୍ରକୋଷ୍ଠ ନପାଇ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ନୂଆ ପୁରୁଣା ୧୬ଜଣ ମନ୍ତ୍ରୀଙ୍କ ପାଇଁ ସଚିବାଳୟରେ ପ୍ରକୋଷ୍ଠ ଆବଣ୍ଟନ କରାଯାଇଛି।

ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଥିବା ୬ଜଣ ମନ୍ତ୍ରୀଙ୍କ ସହିତ ୧୦ଜଣ ନୂଆ ମନ୍ତ୍ରୀଙ୍କ ପାଇଁ ପ୍ରକୋଷ୍ଠ ଆବଣ୍ଟନ କରାଯାଇଛି। ନୂଆ ଓ ଦୀର୍ଘଦିନ ବ୍ୟବଧାନରେ ପୁନର୍ବାର ମନ୍ତ୍ରୀ ହୋଇଥିବା ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ସମୀର ରଂଜନ ଦାସ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାର୍‌କା, ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡିଙ୍କ ସହିତ ପୁରୁଣା ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରକୋଷ୍ଠ ମିଳିଛି। ଏବେ ଦେଖିବାର କଥା କେବେ ସେମାନେ ନିଜ ନିଜ ସଚିବାଳୟ ପ୍ରକୋଷ୍ଠରେ କାର୍ଯ୍ୟାରମ୍ଭ କରିବେ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଦାୟିତ୍ବନ୍ୟସ୍ତ କରିସାରିଛନ୍ତିି। ମାସକ ପରେ ସେମାନେ ନିଜ ନିଜ ପାରଦର୍ଶିତାର ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର