ପୋଷ୍ୟ ସ୍କୁଲ ଗ୍ରହଣ କଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘୫-ଟି’ ଅଂଶବିଶେଷ ସ୍ବରୂପ ପ୍ରଶାସକ, ରା‌ଜନେତା, ବିଚାରପତି, ପୁଲିସ ଅଧିକାରୀମାନେ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ଗତ ୪ ଦିନ ହେଲା ପ୍ରଶାସକଙ୍କ ମଧ୍ୟରେ ଏନେଇ ଉତ୍ସାହ ଥିବା ବେଳେ ଆଜି ମନ୍ତ୍ରୀ, ବିଧାୟକମାନେ ବି ଆଗେଇ ଆସିଛନ୍ତି। ‘ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ଚାଲିଥିବା ଏହି ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମରେ ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୦ ଜଣ ବ୍ୟକ୍ତିବିଶେଷ ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିସାରିଲେଣି।

ଏମିତି କିଛି ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ ଗୋଟିଏ ଲେଖାଏଁ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିସାରିବା ପରେ ଏବେ ଆଉ ଗୋଟିଏ କିମ୍ବା ଦୁଇଟି ସ୍କୁଲକୁ ବି ଅପଣାଉଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଜେବିଆର ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳା‌ହାଣ୍ତି ଜିଲ୍ଲାର ଜୁନାଗଡ଼ ସରକାରୀ ହାଇସ୍କୁଲ ଓ ମହାଲିଙ୍ଗ ସରକାରୀ ହାଇସ୍କୁଲ, ବିଧାୟକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲାର ଜୟପୁର ହାଇସ୍କୁଲ ଓ ବାରିପଦା ଏମ୍‌କେସି ହାଇସ୍କୁଲ, ଓଡ଼ିଶା ସ୍କିଲ୍‌ ଡେଭଲପ୍‌ମେଣ୍ଟ ଅଥରିଟି ଚେୟାରମ୍ୟାନ୍‌ ସୁବ୍ରତ ବାଗ୍‌ଚୀ ବାଣୀବିହାର ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ ପଟିଆସ୍ଥିତ ଶୈଳେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାପୀଠ ଓ ପଟିଆ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରିଜିତ୍‌ ପଶାୟତ କଟକ ରେଭେନ୍ସା କଲିଜିଏଟ୍‌ ସ୍କୁଲ, ସିଏମ୍‌ଓର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍‌ ଯାଜପୁର ଜିଲ୍ଲା ସ୍କୁଲ, ଅବସରପ୍ରାପ୍ତ ଏଡିଜି ଅନୁପ ନାୟକ ଯାଜପୁର ଜିଲ୍ଲା ବରୀ ହାଇସ୍କୁଲ, ମିସନ ଶକ୍ତି ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ, ଓଏସ୍‌ଏମ୍‌ସିର ଏମ୍‌ଡି ଜାମିନୀ ଷଡ଼ଙ୍ଗୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସହିଦ୍‌ ଲକ୍ଷ୍ମଣ ନାୟକ ମ୍ୟୁନିସିପାଲ ହାଇସ୍କୁଲ, ଅନୁସୂଚିତ ଜନଜାତି ଉନ୍ନୟନ ନିର୍ଦେଶକ ଗୁହା ପୁନମ୍‌ ତାପସ କୁମାର ରାୟଗଡ଼ା ଜିଲ୍ଲା ଦମବସୋରା ଏସ୍‌ଏସ୍‌ଡି ବାଳିକା ହାଇସ୍କୁଲ, ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା ପୁରୀ ଜିଲ୍ଲା ବିଶ୍ବମ୍ବର ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି।

ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡଇସ୍ଥିତ ବାଲୁରିଆ ହାଇସ୍କୁଲ ଓ ନବରଙ୍ଗପୁର ଜିଲ୍ଲାର ସରକାରୀ ନୋଡାଲ ଆରସିଡି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବାଲୁରିଆ ହାଇସ୍କୁଲରେ ତାଙ୍କ ବାପା ଶିକ୍ଷା ଗ୍ରହଣ କରୁଥିଲେ। କଟକ ଡିଆରଡିଏର ପିଡି ମହମ୍ମଦ ଅବଦଲ୍‌ ଆଖତର ଯାଜପୁର ଜିଲ୍ଲା ହଳଦିଗଡ଼ିଆ ହାଇସ୍କୁଲକୁ ଅପଣାଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ହାଇସ୍କୁଲ, ପୁଲିସ ଡିଆଜି ସାର୍ଥକ ଷଡ଼ଙ୍ଗୀ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ଇନ୍‌ଷ୍ଟିଚ୍ୟୁଟ୍‌କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି କେତେଜଣ ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି।

ସିଏମ୍‌ଓର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍‌ ପୂର୍ବରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାସ୍ଥିତ ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଗାଁ ସ୍କୁଲ ଭାବେ ଏ‌ହା ବେଶ ପରିଚିତ। ଯାଜପୁର ଜିଲ୍ଲା ମଙ୍ଗଳପୁରସ୍ଥିତ ମହତାବ ହାଇସ୍କୁଲକୁ ଶ୍ରୀ ବାଲକ୍ରିଷ୍ଣନ୍‌ ଆଗରୁ ପୋଷ୍ୟ ଭାବେ ଗ୍ରହଣ କରିସାରିଛନ୍ତି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଜିଲ୍ଲା ମାଣିକେଶ୍ବର ହାଇସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଥିବା ବେଳେ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରସ୍ଥିତ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଆପଣାଇଛନ୍ତି। ଆଇପିଏସ୍‌ ଅନୁପ ସାହୁ ମଧ୍ୟ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରସ୍ଥିତ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟକୁ ଆପଣାଇଛନ୍ତି।

ସମ୍ବନ୍ଧିତ ଖବର