ବିଧାନସଭାରେ ରହୁନାହାନ୍ତି ମନ୍ତ୍ରୀ

ହଟ୍ଟଗୋଳ କଲେ ବିଧାୟକ, ବିରକ୍ତ ହେଲେ ବାଚସ୍ପତି, ମନ୍ତ୍ରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ ମୁଖ୍ୟ ସଚେତକ

ଭୁବନେଶ୍ବର : ବିଜେଡି ସାଂସଦମାନଙ୍କ ଶୃଙ୍ଖଳିତ ଆଚରଣକୁ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସାରେ ପୋତି ପକାଇଥିଲେ। କିନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟଙ୍କ ନିର୍ଦେଶ ପରେ ସ୍ଥିତି ନ ସୁଧୁରିବାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୃହରେ କୃଷି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବେଳେ ବିଧାୟକମାନେ ରହୁନାହାନ୍ତି ବୋଲି ଗତକାଲି ଅଭିଯୋଗ ଆସିବାର ୨୪ ଘଣ୍ଟା ଯାଇନି, ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଭୀଷଣ ବିରକ୍ତ ହୋଇଛନ୍ତି। ବିଧାନସଭାରେ ସବୁବେଳେ ଯେମିତି କେହି ନା କେହି ମନ୍ତ୍ରୀ ଉପସ୍ଥିତ ରୁହନ୍ତି, ତାହାକୁ ସୁନିଶ୍ଚିତ କରିବା ଲାଗି ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ବକ୍ତବ୍ୟ ରଖୁଥିଲେ। ସେ ସମୟରେ ଗୃହରେ ବିଜେଡିର ମାତ୍ର ୨୫ଜଣ ବିଧାୟକ ଉପସ୍ଥିତ ଥିଲେ। କିନ୍ତୁ ଜଣେ ହେଲେ ମନ୍ତ୍ରୀ ନଥିଲେ। ଏହାକୁ ନେଇ ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ତାରା ପ୍ରସାଦ ବାହିନୀପତି ଓ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭାକୁ ଏଭଳି ଖାମଖିଆଲି ମନୋଭାବ ନେଇ ଚଳାଉଥିବା ଅଭିଯୋଗ ଆଣି ସେମାନେ ଗର୍ଜିଥିଲେ। ପରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ଅସନ୍ତୋଷ ପ୍ରକାଶ କରି ବିଧାନସଭା ବନ୍ଦ କରିଦେବାକୁ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଦାବି କରିଥିଲେ ଯେ ସରକାରୀ ଦଳର ମନ୍ତ୍ରୀ କି ବିଧାୟକମାନେ ଯଦି ଗୃହରେ ରହୁନାହାନ୍ତି ତେବେ ଗୃହ ବନ୍ଦ କରିଦିଆଯାଉ।

ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଶୁଣି ଲବିରୁ ଦୌଡି ଦୌଡି ଗୃହ ମଧ୍ୟକୁ ପ୍ରବେଶ କଲେ ମନ୍ତ୍ରୀ ସୁଦାମ ମାର୍ଣ୍ତି ଓ ପଦ୍ମିନୀ ଦିଆନ। ପରେ ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଗୃହକୁ ଆସିଥିଲେ। ତାଙ୍କ ସହ କିଛି ବିଧାୟକ ମଧ୍ୟ ଦୌଡି ଦୌଡି ଗୃହକୁ ଆସିଥିଲେ। ସମାନ ଘଟଣା ଗତକାଲି ମୁଲତବୀ ଆଲୋଚନା ସମୟରେ ଦେଖିବାକୁ ମିଳିଥିଲା । ଧାନ ସଂଗ୍ରହକୁ ନେଇ ମୁଲତବୀ ଆଲୋଚନା ସମୟରେ ଗୃହରେ ମାତ୍ର ୧୨ଜଣ ବିଧାୟକ ଓ ୪ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଗତକାଲି ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇଥିଲା।

ବାଚସ୍ପତି କିନ୍ତୁ ଆଜି ମନ୍ତ୍ରୀଙ୍କ ଅନୁପସ୍ଥିତି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ଗ୍ରହଣ କରି କ୍ଷୋଭ ପ୍ରକଟ କରିଥିଲେ। ଗୃହ ଚାଲିଥିବା ସମୟରେ ଗୃହରେ କିଛି ମନ୍ତ୍ରୀ ଉପସ୍ଥିତ ରହିବାକୁ ସୁନିଶ୍ଚିତ କରିବେ ବୋଲି ରୁଲିଂ ଦେଇଥିଲେ। ସେହିଭଳି ଗୃହ ଚାଲିଥିବା ବେଳେ କିଛି ବିଧାୟକ ନିଜ ଆସନ ଛାଡି ଅନ୍ୟ ବିଧାୟକଙ୍କ ଆସନରେ ଛିଡା ହୋଇ କଥାବାର୍ତା ହେବା ଘଟଣାରେ ବାଚସ୍ପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ଏଭଳି କଡ଼ା ଆଭିମୁଖ୍ୟକୁ ବିରୋଧୀ ସ୍ବାଗତ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବିଧାନସଭାରେ ବିଧାୟକମାନେ ଯାହା କହିଥାନ୍ତି, ତାହାକୁ ଗଣମାଧ୍ୟମ ପ୍ରତିନିଧି ଲେଖିଥାନ୍ତି, କାରଣ ତାହା ଲୋକଙ୍କ ପାଖକୁ ଯାଇଥାଏ। ହେଲେ ମନ୍ତ୍ରୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ, ଏଇଥିପାଇଁ ଯେ ତାହା ସରକାରଙ୍କ ପାଖେ ପହଞ୍ଚିବ। ଏଣୁ ଯଦି ମନ୍ତ୍ରୀ ନ ରହିବେ, ତେବେ ବିଧାୟକମାନେ କଣ କାନ୍ଥବାଡକୁ କହିବେ କି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ପ୍ରକାଶଥାଉକି, ଚଳିତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନିଜେ ସବୁ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହି ସବୁ କାର୍ଯ୍ୟରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଦୈନିକ ପୂର୍ବାହ୍ନ ସାଢେ ୧୧ଟାରେ ସରକାରୀ ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ଦଳର ଉପସ୍ଥାନ ତଥ୍ୟ ପ୍ରଦାନ କରିବେ ବୋଲି ନିର୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ତାଙ୍କ ଦଳର ବିଧାୟକମାନେ ମାନିନାହାନ୍ତି।

ସମ୍ବନ୍ଧିତ ଖବର