ଆନନ୍ଦପୁର : ଜେଲ୍ରୁ ମୁକୁଳିବା ପାଇଁ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କ ଉଦ୍ୟମ ପୁଣି ବିଫଳ ହୋଇଛି। ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସେ ଦାଖଲ କରିଥିବା ପ୍ରିଜନ ପିଟିସନ୍ ଗତକାଲି କେନ୍ଦୁଝର କୋର୍ଟରେ ଖାରଜ ହୋଇଥିବା ବେଳେ ଆଜି ଆନନ୍ଦପୁର କୋର୍ଟ ତାଙ୍କ ଜାମିନ୍ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।
ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଆଜି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଆଜି ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। ହେଲେ ପୁଲିସ କେସ୍ ଡାଏରି ଦାଖଲ କରି ନଥିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଦେବାଶିଷଙ୍କ ପାଇଁ ଆଜି କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୂର୍ବାହ୍ଣ ସାଢେ ୧୧ଟାବେଳେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧୢରେ କେନ୍ଦୁଝର ଜେଲ୍ରୁ ଅଣାଯାଇ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ୍ ଶୁଣାଣିକୁ ୨୯ ତାରିଖକୁ ଘୁଞ୍ଚାଇ ଦେବାରୁ ପୁଣି ତାଙ୍କୁ କେନ୍ଦୁଝର ଜେଲ୍କୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଶୈଲଙ୍ଗରେ ୬ ଜଣ ଦଳିତ ଯୁବକଙ୍କୁ ହଣାକଟା ମାମଲାରେ ଗତକାଲି ଦେବାଶିଷଙ୍କ ପକ୍ଷରୁ ପ୍ରିଜନ ପିଟିସନ ଦାଖଲ କରାଯାଇଥିଲା। ଏହାକୁ କେନ୍ଦୁଝର ଜିଲ୍ଲା ସ୍ବତନ୍ତ୍ର ଅଦାଲତ ଖାରଜ କରି ଦେଇଥିଲେ। ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ଦେବାଶିଷ କିଛିଦିନ ପାଇଁ ଅନ୍ତରୀଣ ଜାମିନ୍ରେ ଯିବାକୁ ଆବେଦନ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ ଯେ ଆକ୍ରମଣରେ ଆହତ ହୋଇଥିବା ୬ ଯୁବକଙ୍କ ମଧ୍ୟରୁ ସୁବ୍ରତ ଜେନା ଓରଫ ଜିତୁଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଦୁଇ ଗୋଡ଼ ଓ ଦୁଇ ହାତକୁ ମନ୍ତ୍ରୀଙ୍କ ପୁଅ ଓ ସମର୍ଥକମାନେ ହାଣିପକାଇଥିଲେ। ସେ ଏବେ ମଧ୍ୟ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୫ ଜଣ ମଧ୍ୟ ସେଠାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ଆକ୍ରମଣ ମାମଲାରେ ପୁଲିସ ଗତ ସେପ୍ଟେମ୍ବର ୧୯ ତାରିଖ ରାତିରେ ଦେବାଶିଷଙ୍କୁ ଟାଙ୍ଗି ନିକଟରୁ ଗିରଫ କରିଥିଲା। ୨୦ ତାରିଖରେ ସ୍ବତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯାଇଥିଲେ ହେଁ ଓକିଲ ଧର୍ମଘଟ ଯୋଗୁ ତାଙ୍କ ଜାମିନ ଆବେଦନ ହୋଇପାରିନଥିଲା। ଏଣୁ ଅକ୍ଟୋବର ୩ ଯାଏ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଓକିଲ ଧର୍ମଘଟ କାରଣରୁ ଶେଷରେ ସେ ନିଜ ମାମଲା ନିଜେ ଲଢ଼ିବା ପାଇଁ ପ୍ରିଜନ ପିଟିସନ ଦାଖଲ କରିଥିଲେ। ଏହପରେ ପ୍ରଥମେ ସେ ସେପ୍ଟେମ୍ବର ୨୭ ରେ ନିଜ ପକ୍ଷ ରଖିଥିଲେ ମଧ୍ୟ ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ଦେବାଶିଷ ପୁଣି ଅକ୍ଟୋବର ୬ରେ ପ୍ରିଜନ ପିଟିସନ ଦାଖଲ କରିଥିଲେ। ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଅଦାଲତ ଏହାର ଶୁଣାଣି କରି ଜାମିନ ଖାରଜ କରିଦେଇଥିଲେ। ତୃତୀୟଥର ପାଇଁ ସେ ଗତକାଲି ପ୍ରିଜନ ପିଟିସନ ଦାଖଲ କରିଥିଲେ, ଯାହାକୁ ଅଦାଲତ ଭିଡିଓ କନ୍ଫରେନ୍ସ ଶୁଣାଣି ଜରିଆରେ ପୁଣି ଖାରଜ କରିଦେଇଥିଲେ।