ଜେଲ୍‌ ଗଲେ ମନ୍ତ୍ରୀଙ୍କ ପୁଅ

କେନ୍ଦୁଝର : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରାର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କୁ ଜେଲ୍‌ ଯିବାକୁ ପଡିଛି। ଶୈଲଙ୍ଗ ବଜାରରେ ସନା ସେନା ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଅଭିଯୋଗରେ ଗତକାଲି ପୁଲିସ ତାଙ୍କୁ ଟାଙ୍ଗୀ ନିକଟରୁ ଗିରଫ କରିଥିଲା। ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କେନ୍ଦୁଝର କୋର୍ଟରେ ହାଜର କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ପ୍ରଦ୍ୟୁମ୍ନ କୁମାର ନାୟକ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ସହ ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ନିର୍ଦେଶ ଦେଇଛନ୍ତି। ଦେବାଶିଷଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ଉପରେ ଆକ୍ରମଣ ଘଟଣା : ୨ ଜଣଙ୍କୁ ବାନ୍ଧିଲା ପୁଲିସ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ପଦନା ଛକରେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତ ପ୍ରଦୀପ ସାହୁଙ୍କୁ ଛଡ଼ାଇନେବା ଘଟଣାରେ ରାମଚନ୍ଦ୍ରପୁର ପୁଲିସ ଗତକାଲି ରାତିରେ ଦୁଇ ଜଣଙ୍କୁ ଉଠାଇ ନେଇଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ପରିକ୍ଷିତ ସାହୁ ଓ ବିନି ସାହୁ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପଦନା ବଜାରରୁ ଏହି ଦୁଇଜଣଙ୍କୁ ଗିରଫ କରାଯିବା ପରେ ରାମଚନ୍ଦ୍ରପୁର ଓ ପଦନା ବଜାର ଆଜି ସକାଳୁ ଶୂନ୍‌ଶାନ୍‌ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର