ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ : ପ୍ରଶ୍ନ-ଉତ୍ତରର ତାଳମେଳ ନାହିଁ

ଭୁବନେଶ୍ୱର : ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ ଗୋଟିଏ ପଟେ। ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ତା’ ବାଟରେ। ପ୍ରଶ୍ନ ଓ ଉତ୍ତରର କିଛି ତାଳମେଳ ରହୁନି। ଏମିତି ଏକ ପ୍ରଶ୍ନ-ଉତ୍ତର ଆଜି ନଜରକୁ ଆସିଛି। ମନ୍ତ୍ରୀ ଓ ଅଧସ୍ତନ କର୍ମଚାରୀଙ୍କ ଗସ୍ତ ବାବଦରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଯେଉଁ ତଥ୍ୟ ଦେଇଛନ୍ତି ତାହାର ପ୍ରାସଙ୍ଗିକତା କିଛି ରହୁ ନାହିଁ। ବିଧାୟକଙ୍କ ପ୍ରଶ୍ନ ଅଛି, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କ ଗସ୍ତକ୍ରମ ଓ ସେମାନଙ୍କ ଅଧସ୍ତନ କର୍ମଚାରୀଙ୍କ ଗସ୍ତକ୍ରମ ପାଇଁ କିଛି ନୀତିନିୟମ ଧାର୍ଯ୍ୟ କରିଛନ୍ତି କି? ୨୦୧୭-୧୮ ଆର୍ଥିକ ବର୍ଷ ପ୍ରାରମ୍ଭରୁ ଅଦ୍ୟାବଧି ସେ ବାବଦ ଖର୍ଚ୍ଚ ବିବରଣୀ ଦେବେ କି? କେଉଁ ମନ୍ତ୍ରୀ ବିଦେଶ ଗସ୍ତ କରିଛନ୍ତି?

ମନ୍ତ୍ରୀଙ୍କ ଉତ୍ତର ରହିଛି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଧସ୍ତନ କର୍ମଚାରୀଙ୍କ ଗସ୍ତକ୍ରମ ପାଇଁ ଓଡ଼ିଶା ମିନିଷ୍ଟର୍ସ ଟ୍ରାଭେଲିଂ ଆଲାଉନ୍‌ସ୍‌,୧୯୬୪ ଏବଂ ଓଡ଼ିଶା ଟ୍ରାଭେଲିଂ ଆଲାଉନ୍‌ସ୍‌ ରୁଲ୍‌ସ୍‌,୧୯୩୮ରେ ବ୍ୟବସ୍ଥା କରାଯାଇଛି।

କିନ୍ତୁ ୨୦୧୭-୧୮ ଆର୍ଥିକ ବର୍ଷ ପ୍ରାରମ୍ଭରୁ ଖର୍ଚ୍ଚ ବିବରଣୀ ମଗାଯାଇଥିଲେ ବି ମନ୍ତ୍ରୀ ତାହାକୁ ଭ୍ରମାତ୍ମକ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଅର୍ଥାତ ୨୦୧୭ ଏପ୍ରିଲ୍‌ ୧ ତାରିଖ ଠାରୁ ଏବେ ଯାଏଁ ସମୟସୀମା ମଧ୍ୟରେ ହୋଇଥିବା ଗସ୍ତ ଖର୍ଚ୍ଚ ବାବଦରେ ମନ୍ତ୍ରୀ ତଥ୍ୟ ଦେବା କଥା। କିନ୍ତୁ ମନଇଚ୍ଛା ୨୦୧୬-୧୭ ଆର୍ଥିକ ବର୍ଷର ତଥ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ୨୦୧୬ ଅଗଷ୍ଟ, ସେପ୍ଟମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର, ୨୦୧୭ ଜାନୁଆରି ଓ ମାର୍ଚ୍ଚରେ କେବେ ରାଜ୍ୟ ବାହାରକୁ ଯାଇଥିଲେ ଓ କେତେ ଖର୍ଚ୍ଚ କରିଥିଲେ, ସେହି ତଥ୍ୟ ଦିଆଯାଇଛି। ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନ ସହ ଏହାର ସାମଞ୍ଜସ୍ୟ କ’ଣ, ତାହା ବୁଝାପଡ଼ୁ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ଏପ୍ରିଲ୍‌ ମାସରେ ମୁଖ୍ୟମନ୍ତ୍ରୀ ଦୁଇ ଥର ବାହାରକୁ ଯାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନେଇ ତଥ୍ୟ ଦିଆଯାଇଛି। କିନ୍ତୁ ଏପ୍ରିଲ୍‌ ପର ଠାରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏକାଧିକ ଥର ବାହାରକୁ ଯାଇଥିଲେ ବି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସେହିପରି ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଯୋଗେନ୍ଦ୍ର ବେହେରା ପ୍ରମୁଖ ୨୦୧୬-୧୭ ଆର୍ଥିକ ବର୍ଷର ଗସ୍ତ ସମ୍ପର୍କରେ ଆଜିର ଉତ୍ତରରେ ତଥ୍ୟ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ବିଦେଶ ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର