କୃଷି ମନ୍ତ୍ରୀଙ୍କ ଅଚାନକ ଓଡ଼ିଶା ବିହନ ନିଗମ ଗସ୍ତ

ଚାଷୀମାନଙ୍କ ଚାହିଦା ପୂରଣ ପାଇଁ ପ୍ରସ୍ତୁତ ହେବ ରୋଡ଼୍ ମ୍ୟାପ୍

ଭୁବନେଶ୍ବର : ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥିପାଇଁ ଅଧିକ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ଆଜି ରାଜ୍ୟ ବିହନ ନିଗମକୁ ଅଚାନକ ଗସ୍ତ କରି ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ଆଧାରରେ ରାଜ୍ୟ ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ଗୁରୁତ୍ବାରୋପ କରିଛନ୍ତି।

ସୋମବାର ଭୁବନେଶ୍ବର ସ୍ଥିତ ବିହନ ନିଗମ କାର୍ଯ୍ୟାଳୟକୁ ଗସ୍ତ କରିବା ଅବସରରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ, ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ବିହନ ଚାହିଦାକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବା ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ। ଜନସଂଖ୍ୟାର ଏକ ବୃହତ ଅଂଶ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ଥିବାରୁ ଚାଷୀମାନଙ୍କୁ ଠିକ୍ ସମୟରେ ଉନ୍ନତମାନର ବିହନ ଯୋଗାଇଦେଇ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସମସ୍ତ କର୍ମଚାରୀ କାର୍ଯ୍ୟ କରିବା ଦରକାର। ଚାଷ କାର୍ଯ୍ୟରେ ସମୟୋପଯୋଗୀ ଓ ଉନ୍ନତମାନର ବିହନ ବ୍ୟବହାର ଉପରେ ଚାଷୀମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ କର୍ମଚାରୀ ଓ ଅଧିକାରୀମାନେ ସମୟାନୁବର୍ତ୍ତୀ ହେବା ସହ ଉପଯୁକ୍ତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର