ନୂଆଦିଲ୍ଲୀ: ଭାରତର ଆପତ୍ତି ସତ୍ତ୍ବେ ଏବେ ବି ରୁଷ୍ ସେନାରେ ଅନେକ ଭାରତୀୟ କାମ କରୁଛନ୍ତି। ନିଜ ସେନାରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ଦେବା ବନ୍ଦ କରିବା ଏବଂ ବର୍ତ୍ତମାନ ରୁଷ୍ ସେନାରେ ସପର୍ଟ ଷ୍ଟାଫ୍ ଭଳି ଅଣ-ଯୁଦ୍ଧ ଭୂମିକାରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟଙ୍କୁ ମୁକ୍ତ କରିବାକୁ ଗୁରୁବାର ଭାରତ ରୁଷ୍କୁ ଅନୁରୋଧ କରିଛି।
ରୁଷ୍ର ସେନାରେ ଭାରତୀୟ ନାଗରିକମାନଙ୍କୁ ସାମିଲ କରାଯିବା ନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମ୍ଇଏ) ଏକ କଠୋର ପରାମର୍ଶ ଜାରି କରିଛି। ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନିକଟରେ ରୁଷ୍ ସେନାରେ ନିଯୁକ୍ତି ପାଇଥିବା ଭାରତୀୟ ନାଗରିକଙ୍କ ବିଷୟରେ ଆମେ ରିପୋର୍ଟ ଦେଖିଛୁ। ଗତ ଏକ ବର୍ଷ ମଧ୍ୟରେ ସରକାର ଅନେକ ଥର ଏଥିରେ ଥିବା ବିପଦକୁ ସୂଚାଇଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ଭାରତ ଉଭୟ ନୂଆଦିଲ୍ଲୀ ଓ ମସ୍କୋରେ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗ ଉଠାଇଛି। ଭାରତ ନାଗରିକମାନଙ୍କୁ ଚେତାବନୀ ଦେଇ ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନର ଶିକାର ନ ହେବାକୁ ପରାମର୍ଶ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ।