ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : ଦେଶର ସବୁ ଥାନାରେ ରହିବ ‘ମହିଳା ଡେସ୍କ’
ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି। ଦେଶର ସବୁ ଥାନାରେ ରହିବ ମହିଳା ଡେସ୍କ। ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦେଶରେ ଦିନକୁ ଦିନ ନାରୀଙ୍କ ପ୍ରତି ହେଉଥିବା ଅପରାଧ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ନାରୀଙ୍କୁ ସୁରକ୍ଷା ସମାଜ ଓ ସରକାର ପାଇଁ ଏକ ବଡ ଚାଲେଞ୍ଜ ହୋଇଛି। ଆଉ ଠିକ ଏତିକି ବେଳେ ଏମିତି ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଥାନାରେ ମହିଳା ଡେସ୍କ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ‘ନିର୍ଭୟା’ ଫଣ୍ଡକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛି ଗୃହ ମନ୍ତ୍ରଣାଳୟ । ହାଇଦ୍ରାବାଦ ଓ ଉନ୍ନାଓର ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ଓ ସହାୟତା ନେଇ କେମିତି ଅଧିକ ଉପଯୋଗୀ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ଏପରିକି ଏସବୁ ମହିଳା ସହାୟତା କେନ୍ଦ୍ରରେ ମହିଳା ପୋଲିସ ଅଧିକାରୀଙ୍କୁ ମୁତୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସଂପୃକ୍ତ ମହିଳା ଡେସ୍କରେ ଅଭିଯୋଗକାରିଣୀଙ୍କ ସହାୟତା ପାଇଁ ଆଇନଜୀବୀ, ମନସ୍ତତ୍ୱବିତ୍ ଏବଂ ଏନଜିଓଙ୍କୁ ସଂପୃକ୍ତ କରିବାକୁ କୁହାଯାଇଛି । ଯେଉଁମାନେ ପୀଡିତାଙ୍କୁ ଆଇନଗତ ସହଯୋଗ ଯୋଗାଇବା ସହ ସେମାନଙ୍କ କାଉନସେଲିଂ ଏବଂ ରହିବା ବ୍ୟବସ୍ଥା କରିପାରିବେ ।