ନୟାଗଡ଼: ଜିଲ୍ଲାରେ ଏବେ ନାବାଳିକା ଓ ଯୁବତୀ ଚାଲାଣ ରୢାକେଟ୍ ବେଶ୍ ସକ୍ରିୟ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ଦଲାଲମାନଙ୍କ ଦ୍ବାରା ଏହି କାର୍ଯ୍ୟ କରାଯାଉଥିଲେ ମଧ୍ୟ ପୁଲିସ ଏହାର ଟେର୍ ପାଉନାହିଁ। ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାକୁ ନୟାଗଡ଼ରୁ ଯୁବତୀ ଓ ନାବାଳିକାଙ୍କୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଗତ ଅଢ଼େଇ ବର୍ଷର ନିଖୋଜ ହୋଇଥିବା ଯୁବତୀ ଓ ନାବାଳିକାଙ୍କ ପରିସଂଖ୍ୟାନକୁ ଦେଖିଲେ ଏହି ଘଟଣା ସତ ବୋଲି ପ୍ରମାଣିତ ହେଉଛି।
ମିଳିଥିବା ତଥ୍ୟ ମୁତାବକ, ୨୦୨୩ରେ ୩୫୪ ଜଣ ଯୁବତୀ ଓ ୮୯ ଜଣ ନାବାଳିକା ନିଖୋଜ ହୋଇଯାଇଥିଲେ। ସେଥିମଧ୍ୟରୁ ପୁଲିସ ୨୦୬ ଜଣ ଯୁବତୀ ଓ ୫୩ ଜଣ ନାବାଳିକାଙ୍କୁ ଠାବ କରିବାକୁ ସକ୍ଷମ ହୋଇଛି। ବାକି ୧୪୮ ଯୁବତୀ ଓ ୩୬ ଜଣ ନାବାଳିକାଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳୁନାହିଁ। ସେହିପରି ୨୦୨୪ରେ ୪୧୬ ଜଣ ଯୁବତୀ ଓ ୧୩୦ ଜଣ ନାବାଳିକା ନିଖୋଜ ଥିଲେ। ସେଥିମଧ୍ୟରୁ ୨୩୫ ଯୁବତୀ ଓ ୮୯ ଜଣ ନାବାଳିକାଙ୍କୁ ଠାବ କରାଯାଇଛି। ନିଖୋଜ ହୋଇଥିବା ୧୮୧ ଜଣ ଯୁବତୀ ଓ ୪୧ ଜଣ ନାବାଳିକାଙ୍କ ଟେର୍ ମିଳୁନାହିଁ। ଚଳିତ ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ୯୯ ଜଣ ଯୁବତୀ ଓ ୫୪ ଜଣ ନାବାଳିକା ନିଖୋଜ ଅଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଯୁବତୀ ଓ ୧୯ ଜଣ ନାବାଳିକାଙ୍କୁ ଠାବ କରାଯାଇଛି। ବାକି ୮୧ ଜଣ ଯୁବତୀ ଓ ୩୫ ଜଣ ନାବାଳିକା କେଉଁଠି ଅଛନ୍ତି, ଏହାର ଖବର କାହା ପାଖରେ ନାହିଁ।
ସିଡବ୍ଲୁସିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଦ୍ବିତୀୟ ବିବାହ କରିବା ପାଇଁ ଯୁବକମାନଙ୍କୁ ଝିଅ ମିଳନ୍ତି ନାହିଁ। ସେମାନଙ୍କର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ଥିବାରୁ ସେମାନେ ଓଡ଼ିଶାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଟଙ୍କା ଦେଇ ଝିଅ କିଣି ନିଅନ୍ତି। ଏମିତିକି ନୟାଗଡ଼ର ବିଭିନ୍ନ ଅଞ୍ଚଳରୁ ଯୁବତୀମାନେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ବିବାହ କରିଛନ୍ତି। ବର୍ତ୍ତମାନ ଏହି ମହିଳାମାନଙ୍କ ଦ୍ବାରା ଏକାଧିକ ଯୁବତୀ ସେଠାରେ ବିବାହ କରୁଛନ୍ତି। ଏମିତିକି ନାବାଳିକାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି।
ବର୍ଷକ ତଳେ ନୂଆଗାଁରୁ ଦୁଇ ଜଣ ନାବାଳିକାଙ୍କୁ ଚାଲାଣ କରାଯାଉଥିବା ବେଳେ ସିଡବ୍ଲୁସି ସେମାନଙ୍କୁ ଉଦ୍ଧାର କରିଥିଲା। ଜଣେ ମହିଳା ହିଁ ସେମାନଙ୍କୁ ରାଞ୍ଚି ନେଇଯାଉଥିବା ଜଣାପଡ଼ିଥିଲା। ଚାଲାଣ ହେଉଥିବା ଯୁବତୀମାନଙ୍କ ମଧ୍ୟରୁ ଯେ ସମସ୍ତେ ସେଠାରେ କଷ୍ଟରେ ରହୁଛନ୍ତି ତା’ ନୁହେଁ, ସେମାନେ ବିବାହ କରି ବେଶ୍ ଭଲରେ ରହୁଥିବା ବେଳେ ପରିବାର ଲୋକମାନଙ୍କ ସହ ଯୋଗାଯୋଗରେ ମଧ୍ୟ ରହୁଛନ୍ତି। ମାତ୍ର ଅଧିକାଂଶ ଯୁବତୀ ବିଶେଷ କରି ନାବାଳିକାମାନଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଛି। ପରିବାର ଲୋକଙ୍କ ସହ ସେମାନେ ଯୋଗାଯୋଗରେ ରହୁନାହାନ୍ତି। ବିଶେଷ କରି ଅର୍ଥ ଅଭାବ ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ଦଲାଲଙ୍କ କଥାରେ ଫସି ପରିବାର ଲୋକ ଝିଅମାନଙ୍କୁ ସେମାନଙ୍କ ହାତରେ ଟେକି ଦେଇଛନ୍ତି। ନୟାଗଡ଼ ପୁଲିସ ଏହି ନିଖୋଜ ଯୁବତୀମାନଙ୍କୁ ଠାବ କରିବା ପାଇଁ ଗତକାଲିଠାରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି।