ପିଲା ଖେଳ ହେଲା କାଳ: କାର୍‌ ଭିତରେ ଶ୍ୱାସ ରୁଦ୍ଧ ହୋଇ ୬ ବର୍ଷର ବାଳକ ମୃତ 

କରୋନା ଭାଇରସ୍ ପାଇଁ ଲକଡାଉନ ଯୋଗୁଁ ସୁରତରେ ଫସି ରହିଛନ୍ତି ସାଈର ବାପା

ଭଞ୍ଜନଗର: ମୃତ୍ୟୁ ଏମିତି ବି ଆସେ। ଜଣେ କୋମଳମତି ୬ବର୍ଷର ଶିଶୁ ତାର ଅବ‌ୋଧତା ପାଇଁ ପ୍ରାଣ ହରାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅର୍ନ୍ତଗତ ହଳନ୍ଦଖୋଳା ଗ୍ରାମରେ। ଏହି ଅଭାବନୀୟ ଘଟଣା ସାରା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଖୁସି ମଜା‌ରେ ଘର ଆଖପାଖରେ ଖେଳୁଥିବା ସମୟରେ ନିଜର ଛୋଟିଆ ଭୁଲ ପାଇଁ ଜୀବନ ଚାଲିଯାଇଛି। ଏକ ୬ ବର୍ଷର ବାଳକ ନିଜକୁ କାର ଭିତରେ ବନ୍ଦ କରିଦେବା ଫଳରେ ତାର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୁଚନା ଅନୁଯାୟୀ ଜଗନ୍ନାଥପ୍ରସାଦ ବ୍ଳକ୍‌ ପ୍ରତାପୁର ପଞ୍ଚାୟତର ପଥରାପଲ୍ଲୀ ଗ୍ରାମର ବିକ୍ରମ ପ୍ରଧାନର ସ୍ତ୍ରୀ ସୁନୀତା ଏବଂ ପୁଅ ସାଈକ୍ରିଷ୍ଣା ପ୍ରଧାନ(୬) ଜଣେ ସଂର୍ପକୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ହଳନ୍ଦଖୋଳା ଗ୍ରାମକୁ ଯାଇଥିଲେ। ସେଠାରେ ଆଜି ଅପରାହ୍ନ ସମୟରେ ଘରେ ଦଶାହ କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ରହିଥିବା ବେଳେ ସାଇ ଘର ନିକଟରେ ଥିବା ଏକ କାର ଭିତରକୁ ପଶିଯାଇଥିଲେ। କିଛି ସମୟ ତାହା ଭିତରେ ଖେଳିବା ପର ବାହାରକୁ ବାହାରିବା ପାଇଁ ବହୁତ ପ୍ରୟାସ କରିଥିଲ‌ା।

ତେବେ ସାଈକ୍ରିଷ୍ଣା କାରରୁ ନିଜକୁ କିଭଳି ବାହର କରିବ ତାହା ସେ ଜାଣି ନଥିବାରୁ କାର୍‌ ଭିତରୁ ନିଜକୁ ବାହାର କରିପାରି ନଥିଲା। ସେଥରୁ ମୁକୁଳିବା ପାଇଁ ବହୁତ ପ୍ରୟାସ କରିଥଲେ ମଧ୍ୟ ଆଉ ନିଜକୁ ବାହାର କରିନପାରିନଥିଲା ସାଇ। କାର୍‌ଟି ସଂପୂର୍ଣ୍ଣ ଲକ୍‌ ହୋଇ ଯାଇଥିବାରୁ ସେଥିରେ ଅମ୍ଳଜାନ୍‌ କମିବାରେ ଲାଗିଥିଲା। ତାହାରି ଭିତରେ ଅଣ ନିଶ୍ବାସୀ ହୋଇ ସାଇ ବେ‌ହୋଶ ହୋଇପଡିଥିଲେ। ଏହା ମଧ୍ୟରେ ଦୀର୍ଘ ସମୟ ଧରି ସାଈର କୌଣସି ଖୋଜ ଖବର ନପାଇବାରୁ ସାଇର ମା ନମିତାଙ୍କ ସମେତ ସଂର୍ପକୀୟ ମାନେ ଗାଁର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥି‌ଲେ। ବହୁତ ଖୋଜିବା ପରେ ସାଇ ଘର ଆଗରେ ଥିବା କାର ଭିତରେ ପଡିଥିବା ଦେଖିବାକୁ ପାଇଥିଲେ।

ଏହାପରେ ତାକୁ ତୁରନ୍ତ ସେଠାରୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନା ଆଣିଥିଲେ। ଏଠାରେ ଡାକ୍ତର ସାଈକୁ ମୃତ ଘୋଷଣା କରିଥିଲେ। ଏହାପରେ ତାରସିଂ ପୁଲିସ୍‌ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି। ବର୍ତ୍ତମାନ ସାଈର ବାପା ସୁରତ ଠାରେ ଫସି ରହିଥିବା ବେଳେ ନିଜର ୬ ବର୍ଷର କୋମଳ ମତି ପୁଅର ଅକାଳ ମୃତ୍ୟୁରେ ମାଆ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପୂରା ଫାଟି ଉଠିଥିଲା। ଏହି ଦୁଃଖଦ ଖବର ଭଞ୍ଜନଗର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର