ରାଉରକେଲା/ବାଂଶପାଳ: ମାତୃହନ୍ତା ନାବାଳକ ସ୍ବଧାରଗୃହକୁ ନେବା ବେଳେ ପୁଲିସ ହେପାଜତରୁ ଖସିଯାଇଛି। କିନ୍ତୁ ପୁଲିସ ସାମ୍ମାନରୁ ଖସିଯିବାର ୨୪ ଘଣ୍ଟା ଭିତରେ ପୁଣି ଥରେ ଧରାପଡ଼ିଯାଇଛି।
ସୂଚନା ଅନୁସାରେ ଡ୍ରେସ୍ କିଣିବାକୁ ପଇସା ନଦେବାରୁ ଗତ ୧୬ ତାରିଖ ଅପରାହ୍ନ ସମୟରେ ମା’କୁ ହତ୍ୟା କରିଥିବା କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁର ୧୦ ବର୍ଷୀୟ ନାବାଳକକୁ ପୁଲିସ ଗତକାଲି ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ରାଉରକେଲାସ୍ଥିତ ସ୍ବଧାରଗୃହକୁ ନେଉଥିଲା। କନ୍ତୁ ନାବାଳକ ସ୍ବଧାରଗୃହରେ ପହଞ୍ଚିବା ପୂର୍ବରୁ ବାଟରେ ଏକ ନିର୍ଜନ ସ୍ଥାନରେ ପୁଲିସ ସାମ୍ନାରୁ କୌଣସି ପ୍ରକାରରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ନିକଟରୁ ଖସିଯାଇଥିଲା। ନାବାଳକ କୌଣସି ମତେ ଘରକୁ ପହଞ୍ଚି ଯାଇଥିଲା ବେଳେ ପୁଲିସ ଆଜି ଅପରାହ୍ନରେ ପୁଣି ଥରେ ନିଜ ଅକ୍ତିଆରକୁ ନେଇଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ଅପରାହ୍ଣ ୪ଟା ବେଳେ ମଙ୍ଗୁଳି ସାଆନ୍ତ (୫୦)ଙ୍କୁ ତାଙ୍କ ୧୦ ବର୍ଷର ପୁଅ ଡ୍ରେସ୍ କିଣିବାକୁ ଟଙ୍କା ମାଗିଥିଲା। ରଜରେ ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଛନ୍ତି, ସେ ମଧ୍ୟ ପିନ୍ଧିବ ବୋଲି ଜିଦ୍ କରିଥିଲା। ମଙ୍ଗୁଳି ଅତ୍ୟନ୍ତ ଗରିବ ହୋଇଥିବାରୁ ପୁଅର ଡ୍ରେସ୍ କିଣିବା ପାଇଁ ଅସମର୍ଥ ଥିଲା। ଏହାକୁ କେନ୍ଦ୍ରକରି ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ପୁଅ ଏକ ଟାଙ୍ଗିଆରେ ମା’ ମଙ୍ଗୁଳିଙ୍କୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ଘଟିଥିଲା।
ମା’ର ମୃତ୍ୟୁ ହୋଇଯିବା ଜାଣିବା ପରେ ପୁଅ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲା। ଗ୍ରାମବାସୀ ଏନେଇ ନୟାକୋଟ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ନାବାଳକକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ଗତକାଲି କୋର୍ଟରେ ହାଜର କରି ସ୍ବଧାରଗୃହକୁ ନେଉଥିଲା। ନୟାକୋଟ ଥାନା ଅଧିକାରୀ ସ୍ୱର୍ଣ୍ଣମୟୀ ହେମ୍ବ୍ରମ ଏବଂ ଏସ୍ଆଇ ଫଣିଭୂଷଣ ମହାନ୍ତ ମାମଲାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/c121bf76-bb0e-4b32-9ac6-8e53be441c23.jpg)