‌ପୁଲିସ ଭ୍ୟାନ୍‌ରୁ ଚମ୍ପଟ ମାରିଲା ନାବାଳକ, ୧୫ ଘଣ୍ଟା ପରେ ପ୍ରେମିକା ଘରୁ ଧରା ପଡ଼ିଲା

ରାଉରକେଲା : ପୁଲିସ ଭ୍ୟାନ୍‌ରୁ ଚମ୍ପଟ ମାରିଥିବା ଜଣେ ଅଭିଯୁକ୍ତ ନାବାଳକକୁ ପ୍ରାୟ ୧୫ ଘଣ୍ଟା ପରେ ପୁଲିସ ଲାଠିକଟା ଅଞ୍ଚଳରୁ ପୁଣି ଧରିଛି। ଆସନ୍ତାକାଲି (ଶୁକ୍ରବାର) ତାକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରିବା ପରେ ବାଳସୁଧାର ଗୃହରେ ରଖାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତବାକ, ଗତକାଲି ସକାଳ ପ୍ରାୟ ୭ଟାରେ ୧୦ଜଣ ନାବାଳକ ଅଭିଯୁକ୍ତଙ୍କୁ କେନ୍ଦୁଝର ମାଜିଷ୍ଟ୍ରେଟଙ୍କ ହାଜର କରିବାଲାଗି କେନ୍ଦୁଝର ପୁଲିସର ଟିମ୍‌ ରାଉରକେଲା ବାଳସୁଧାର ଗୃହରେ ପହଞ୍ଚିଥିଲେ। ଜଣେ ନାବାଳକ ଅଭିଯୁକ୍ତ ଅସୁସ୍ଥ ଥିବାରୁ ବାକି ୯ ଜଣଙ୍କୁ ପୁଲିସ ଭ୍ୟାନ୍‌ରେ କେନ୍ଦୁଝରକୁ ନିଆ ଯାଇଥିଲା। ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରିବା ପରେ ପୁଲିସ ସେମାନଙ୍କୁ ପୁଣି ରାଉରକେଲା ବାଳସୁଧାର ଗୃହକୁ ଆଣିଥିଲା। ତେବେ ଫେରିବା ବାଟରେ ରାତି ପ୍ରାୟ ୨ଟା ସମୟରେ ଚାନ୍ଦିପୋଷ ନିକଟରେ କିଛି ବାଳ ଅଭିଯୁକ୍ତ ଏକ କରିବାକୁ ଭ୍ୟାନ୍‌ରୁ ତଳକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଫେରାର ହୋଇ ଯାଇଥିଲା। କିନ୍ତୁ ସେମାନଙ୍କ ସହ ଭ୍ୟାନ୍‌ରୁ ତଳକୁ ଓହ୍ଲାଇଥବା ପୁଲିସ କର୍ମଚାରୀ ଏ ସଂକ୍ରାନ୍ତରେ କିଛି ଜାଣି ପାରିନଥିଲେ। ତେବେ ଭୋର ପ୍ରାୟ ସାଢ଼େ ୪ଟାରେ ବାଳସୁଧାର ଗୃହ ନିକଟରେ ପହଞ୍ଚିବା ପରେ ଜଣେ ନାବାଳକ ଅଭିଯୁକ୍ତ ଭ୍ୟାନ୍‌‌ରେ ନଥିବା ଜଣା ପଡ଼ିଥିଲା। ସଙ୍ଗେ ସଙ୍ଗେ ପୁଲିସ ଟିମ୍‌ ଭ୍ୟାନ୍‌ରେ ଥିବା ଅନ୍ୟ ୮ ନାବାଳକଙ୍କୁ ଫେରାର ଥିବା ଅଭିଯୁକ୍ତ ସମ୍ପର୍କରେ ଜାଣିବାକୁ ପଚରାଉଚୁରା କରିଥିଲେ। ସେମାନଙ୍କ ସୂଚନା ଆଧାରରେ ଫେରାର ବାଳ ଅପରାଧୀକୁ ଚାନ୍ଦିପୋଷ ଅଞ୍ଚଳରେ ଥିବା ତା’ର ପ୍ରେମିକାର ଘରୁ ଧରା ଯାଇଥିଲା।

ସମ୍ବନ୍ଧିତ ଖବର