କଲ୍ୟାଣସିଂହପୁର: ସେଲଫି ହେଲା କାଳ। ରାୟଗଡ଼ା ଜିଲ୍ଲା ଭାଲୁମସ୍କା ରେଳଷ୍ଟେସନ ନିକଟରେ ଅଟକି ଥିବା ମାଲଗାଡ଼ିରେ ଚଢି ସେଲ୍ଫି ନେବାବେଳେ ବିଦ୍ୟୁତ ତାର ଲାଗି ୧୨ ବର୍ଷ ବୟସର ବାଳକ ଜଳି ଯାଇଛି। ମୃତକ ହେଲା ଦେବେନ୍ଦ୍ର ନାଏକ (୧୨)।

Advertisment

ସୂଚନା ଅନୁସାରେ କାଶୀପୁର ବ୍ଲକ ବାର୍ତ୍ତିବାଲି ଗ୍ରାମର ସହଦେବ ନାଏକଙ୍କ ପୁଅ ଦେବେନ୍ଦ୍ର ନାଏକ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାଲୁମସ୍କା ଆସିଥିଲା। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ ଅଟକି ଥିବା ପାଉଡର ବୋଝେଇ ମାଲବାହୀ ଗାଡି ଉପରକୁ ଚଢ଼ିଥିଲା। ଉକ୍ତ ରେଳଗାଡ଼ିର ଟ୍ୟାଙ୍କରରେ ଚଢ଼ି ସେଲଫି ନେବା ସମୟରେ ଉପରେ ଥିବା ୨୫,୦୦୦ ଭୋଲ୍‌ଟେଜ୍‌  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ତାର ଲାଗି ଜଳିଛିଟିକି ପଡି ଯାଇ ମୃତ୍ୟୁ ହୋଇଥିବା କିଛି ଲୋକ ଦେଖିଥିଲେ। ପରେ ରେଳ ବିଭାଗ ପକ୍ଷରୁ ଜିଆରପି ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି।